ଚିନ୍ତା ବଢାଉଛି ଜର ଓ ଆଖିଧରା
କୋଭିଡ ଭଳି ଏବେ ରାଜ୍ୟରେ ବଢୁଛି ଜର ଓ ଆଖିଧରା । ଘରକୁ ଘର ଆଖିଧରା ସଂକ୍ରମଣ ବ୍ୟାପିବାରେ ଲାଗିଛି । ସ୍ଥିତି ଏପରି ଯେ ଯାହାକୁ ଦେଖିବ ତାର ଆଖି ନାଲି । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୬୦ରୁ ଅଧିକ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବାର ସୂଚନା ରହିଛି । ଏହି ଆଖିଧରା ସଂକ୍ରମଣରେ ଛୋଟ ଛୁଆ ମଧ୍ୟ ସାମିଲ ହୋଇଥିବା ସୂଚନା ରହିଛି । ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ଏହି ଆଖିଧରା ସଂକ୍ରମଣ ବ୍ୟାପିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଆଖିଧରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଜାରରେ ହଠାତ ଆଣ୍ଟିବାୟୋଟିକ ଆଇ ଡ୍ରପ, କଳା ଚଷମାର ଚାହିଦା ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଭାଇରାଲ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । କ୍ୟାପିଟାଲ ହସ୍ପିଟାଲ ଓ ଏମ୍ସରେ ଅଧିକରୁ ଅଧିକ ଜ୍ୱରରେ ଆକ୍ରାନ୍ତ ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି । ଆରଏମଆରସି ନିର୍ଦ୍ଦେଶକି ସଂଘମିତ୍ରା ପତି କହିଛନ୍ତି, ଏଯାଏଁ କୌଣସି ନୂଆ ଭାଇରସ ଚିହ୍ନଟ ହୋଇନାହିଁ । ରୋଗୀଙ୍କ ନମୁନା ପରୀକ୍ଷା କରାଯାଉଛି ।