ଇସ୍ତଫା ଦେବିନି: ଅମିତ ଶାହ
ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଏପରି କି କଂଗ୍ରେସ ତାଙ୍କର ଇସ୍ତଫା ଦାବି କରିବାରେ ଲାଗିଛି। ସମାଜବାଦୀ ପାର୍ଟି ଠାରୁ ଆରମ୍ଭ କରି ଟିଏମସି ଯାଏ ଶାହଙ୍କ ‘ଆମ୍ବେଦକର’ ବୟାନକୁ ବିରୋଧ କରିବାରେ ଲାଗିଛନ୍ତି। ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ବିବାଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଅମିତ ଶାହ। ଏହି ସମୟରେ ସେ କଂଗ୍ରେସକୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି।ତାଙ୍କ କହିବା କଥା ଯେ ବିରୋଧୀ କଂଗ୍ରେସ ତାଙ୍କ ବୟାନକୁ ବୁଲାଇ ବଙ୍କାଇ ଉପସ୍ଥାପନ କରୁଛି ଓ ଆମ୍ବେଦକର ବିରୋଧୀ ଆଭିମୁଖ୍ୟକୁ ଆପଣାଇବା ପାଇଁ ଚେଷ୍ଟା କରୁଛି। ସେ କହିଛନ୍ତି, “ମୋ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। କଂଗ୍ରେସ ଫେକ ନ୍ୟୁଜ ପ୍ରଚାର କରୁଛି। ମୁଁ କେବେ ହେଲେ ଆମ୍ବେଦକରଙ୍କ ବିରୋଧରେ କହିପାରିବି ନାହିଁ।
ସେମାନେ(କଂଗ୍ରେସ) ମୋ ବୟାନକୁ ଭୁଲ ଭାବେ ଚିତ୍ରଣ କରିଛନ୍ତି। ସେମାନେ ଏହାକୁ ଭୁଲ ଢଙ୍ଗରେ ଲୋକଙ୍କ ଆଗରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ସମସ୍ତଙ୍କୁ ମୋର ପୂରା ଭାଷଣ ଶୁଣିବାକୁ ଅନୁରୋଧ କରୁଛି। ଏହାପରେ ସବୁ କିଛି ସ୍ପଷ୍ଟ ହୋଇଯିବ। ମୁଁ ଏମିତି ଏକ ଦଳ ଓ ସମାଜରୁ ଆସିଛି, ଯିଏ କେବେ ହେଲେ ଆମ୍ବେଦକରକୁ ଅସମ୍ମାନ କରିବା କଥା ସ୍ୱପ୍ନରେ ମଧ୍ୟ ଚିନ୍ତା କରିପାରିବ ନାହିଁ। ଆମେ ସବୁବେଳେ ଆମ୍ବେଦକରଙ୍କ ଆଦର୍ଶକୁ ପାଳନ କରିଥାଉ।