ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ମୁଁ କଂଗ୍ରେସରେ ଅଛି : ମୋକିମ

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦୃଢ ଆକ୍ସନ। ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବିତ କଲା କଂଗ୍ରେସ । ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଏଆଇସିସି ଉଭୟ ମୋକିମ୍‌ ଓ  ବିଶ୍ବାଳଙ୍କୁ ନିଲମ୍ବନ କରିଛି । ଓଡ଼ିଶା କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ନିଲମ୍ବନ ଏଆଇସିସିର  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ତଥା ସାଧାରଣ ସଂପାଦକ ତାରିକ୍ ଅନୱାରଙ୍କ ଦ୍ବାରା ଶନିବାର ଜାରି ହୋଇଥିବା ଏକ ପ୍ରେସ୍‌ ବିଜ୍ଞପ୍ତିରୁ ଜଣାପଡ଼ିଛି । ସେ କହିଛନ୍ତି ଯେ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ବାଳଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଛି। ଉଭୟ ମୋକିମ୍‌ ଓ ବିଶ୍ବାଳଙ୍କୁ ଦଳରୁ ତୁରନ୍ତ ନିଲମ୍ବନ କରାଯାଇଛି। ପିସିସି ସଭାପତିଙ୍କ ଅଭିଯୋଗ କ୍ରମେ ଡିସିପ୍ଲିନାରି ଆକ୍ସନ କମିଟି ଉଭୟ ମୋକିମ୍‌ ଓ ବିଶ୍ବାଳଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିଲା। କିନ୍ତୁ ସେମାନଙ୍କର ଠାରୁ ଏଆଇସିସି ସନ୍ତୋଷଜନକ ଉତ୍ତର ପାଇପାରି ନଥିଲା । ତେଣୁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଅନ୍ୟପକ୍ଷରେ ମହମ୍ମଦ ମୋକିମ୍ କହିଛନ୍ତି ଯେ ସେ ନିଲମ୍ବନ କଥା ସୋସିଆଲ୍ ମିଡିଆରୁ ଜାଣିଲେ। ‌ସେ କଂଗ୍ରେସରେ ରହିବେ। ଘଟଣା ସଂପର୍କରେ ଅନୁଧ୍ୟାନ ପରେ ମତାମତ ଦେବେ ।