‘ବିନା ନିଲମ୍ବନରେ କାହିଁକି ହେଲାନି ସମାଧାନ’

ଚେଲ୍ଲାକୁମାର କହିଲେ ‘ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ’

ଦଳୀୟ କନ୍ଦଳ ଭିତରେ ଶନିବାର ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ନେତୃବୃନ୍ଦ ଗୁରୁତ୍ବ ଦେଇଛନ୍ତି। ‌ତେବେ ବୈଠକରେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନକୁ ନେଇ ସରଗରମ ଆଲୋଚନା ହୋଇଥିଲା। ରାଜସ୍ଥାନରେ ଯେପରି ବିନା ନିଲମ୍ବନରେ ଗେହଲଟ-ପାଇଲଟଙ୍କ ବିବାଦର ସମାଧନ କରାଗଲା ଓଡ଼ିଶାରେ ଏଭଳି କାହିଁକି କରାଗଲାନି ବୋଲି ଏକାଧିକ ନେତା ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବୈଠକରେ କଥା କଟାକଟି ହୋଇଥିଲା। ତେବେ ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଭାରୀ ରୋକଠୋକ୍ ଶୁଣାଇଥିବା ସୂଚନା ମିଳିଛି । ଏହାସହ ଦରଦାମ ବୃଦ୍ଧି ଓ କଂଗ୍ରେସର ପରଜୟର କାରଣ ବିଷୟରେ ତର୍ଜମା କରାଯାଇଛି । କଂଗ୍ରେସ ପ୍ରଭାରୀ ରାଜ୍ୟ‌ର ଶାସନ ବ୍ୟବସ୍ଥା ଉପ‌ରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏଠାରେ ଜଣେ ବ୍ୟକ୍ତି ଦ୍ବାରା ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରି ରଖାଯାଇଛି। କେନ୍ଦ୍ର କାହିଁକି ନିରବ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେକହିଥିଲେ, ଓଡ଼ିଶାରେ ଗଣତନ୍ତ୍ରକୁ ଉପହାସ କରାଯାଉଛି। ଜଣେ ଜୁନିଅର ଆଇଏଏସ୍‌ ଅଫିସର ଅଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟକଳାପ ଚଳାଇଛନ୍ତି। କଂଗ୍ରେସ ଦଳ ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛି। ଗାନ୍ଧୀଙ୍କ ତିନି ମାଙ୍କଡ଼ ଓ ରାଜ୍ୟ ଶାସନ ସଂପର୍କରେ ମୁହଁ ଖୋଲିବାକୁ ବିଜେଡିର ସମସ୍ତ ବିଧାୟକମାନଙ୍କୁ ଏ ସଂପର୍କିତ ଫଟୋ ପଠାଯିବ। ମୁଖ୍ୟମନ୍ତ୍ରୀ ଜଣେ ବ୍ୟକ୍ତି ଦ୍ବାରା ଗୃହବନ୍ଦୀ ହୋଇ ରହିଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ବିଧାନସଭାରେ ସୁପର ସିଏମ୍‌ ଅଭିଭାଷଣ ରଖିପାରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଦେଶର ଗୃହ ମନ୍ତ୍ରୀ କ’ଣ କରୁଛନ୍ତି। ସେ ମଧ୍ୟ ସେତିକି ଦୋଷୀ। ଦିଲ୍ଲୀ ସରକାରଙ୍କ କ୍ଷମତା ନେବାକୁ ଚେଷ୍ଟା ହେଉଥିବା ବେଳେ ଓଡ଼ିଶାର ଆଇଏଏସ୍‌ ଅଧିକାରୀଙ୍କ କ୍ଷେତ୍ରରେ ଚୁପ୍ କାହିଁକି ବୋଲି ଶ୍ରୀ ଚେଲାକୁମାର ପ୍ରଶ୍ନ କରିଛନ୍ତି।