ନୂଆ ପ୍ରଭାରୀଙ୍କ ନୂଆ ରଣନୀତି

୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ

ନୂଆ ପ୍ରଭାରୀଙ୍କ ନୂଆ ରଣନୀତି । ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ । ନୂଆ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ସହ ବରିଷ୍ଠ ନେତାମାନେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ । ଏହାସହ ୧୦ ଦିନ ଭିତରେ କମିଟି ଗଠନ କରିବାକୁ ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କୁ କୁହାଯାଇଛି । ସେପଟେ ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି ଅଜୟ କୁମାର । ରାଜ୍ୟରେ ତିନି ନମ୍ବର ସ୍ଥାନକୁ ଖସି ଆସିଥିବା କଂଗ୍ରେସ ପାର୍ଟିକୁ ପୁଣିଥରେ ଉପରକୁ ଉଠାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ନୂଆ ପ୍ରଭାରୀ । ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟରେ ଏକମାତ୍ର ବିରୋଧୀ ଦଳ ହେଉଛି କଂଗ୍ରେସ । ୨୦୨୪ରେ ଦଳ କିପରି ପ୍ରଭାବୀ ପ୍ରଦର୍ଶନ କରିବ, ତା’ ଉପରେ ଜୋର ଦେଇଛନ୍ତି ଅଜୟ କୁମାର । ସରକାରଙ୍କ ଅପାରଗତା ନେଇ ସାରା ରାଜ୍ୟରେ ପୋଷ୍ଟର ଓ ଲିଫ୍ଲେଟ୍ ବଂଟାଯିବ । ଏହି ସମୟ ମଧ୍ୟରେ ବୁଥ୍ କମିଟି, ପଂଚାୟତ କମିଟି ଓ ବ୍ଲକ କମିଟି ଗଠନ କରି ନପାରିିଲେ ପଦ ଛାଡି ଦେବାକୁ ଡେଡଲାଇନ୍ ଦେଇଛନ୍ତି ଡକ୍ଟର ଅଜୟ କୁମାର । ଦଳୀୟ ନେତା ଓ କର୍ମୀଙ୍କୁ ତୃଣମୂଳ ସ୍ତରରେ କି କି କାର୍ଯ୍ୟ କରିଛ, ତା’ର ହିସାବ ମାଗିଛନ୍ତି । ସିଧା ସିଧା ଶବ୍ଦରେ କାହାକୁ ଟିକେଟ ମିଳିବ, କାହାକୁ ଟିକେଟ ଦିଆଯିବ ନାହିଁ, ମଂଚ ଉପରୁ ଶୁଣାଇ ଦେଇଛନ୍ତି ଅଜୟ କୁମାର । କହିଛନ୍ତି, ‘ବିଜେପି-ବିଜେଡି ସହ ଭିତିରିଆ ସଂପର୍କ ରଖିଥିବା ନେତାଙ୍କୁ ମିଳିବନି ଟିକେଟ, ପରସ୍ପର ବିରୋଧରେ ଚୁଗୁଲି କରୁଥିବା ନେତାଙ୍କ କଥା ଶୁଣିବେ ନାହିଁ, କଥା କମ୍, କାମ ଅଧିକ କରି ଦେଖାଅ, ସେ କ’ଣ କରିବେ ନପଚାରି ନିଜେ କ’ଣ କରିଛ ହିସାବ ଦିଅ କହିଛନ୍ତି ଅଜୟ କୁମାର’ ।