ବିଜେଡିରେ ଦେଖାଦେଇଛି ବିବାଦ

ରାଜ୍ୟ କମିଟି ଗଠନ ପୂର୍ବରୁ ଗୋଷ୍ଠୀ କନ୍ଦଳ

ବିଜେଡିରେ ଦେଖାଦେଇଛି ବିବାଦ। ସିନିୟର ନେତାଙ୍କୁ ଜୁନିୟର୍ ନେତା ମାନୁନଥିବା ଚର୍ଚ୍ଚା। ରାଜ୍ୟ କମିଟି ଗଠନ ପୂର୍ବରୁ ତୀବ୍ର ହୋଇଛି ଗୋଷ୍ଠୀ କନ୍ଦଳ। ନବୀନ ନିବାସରେ ଦେଖିବାକୁ ମିଳିଛି ବଡ଼ ହଲଚଲ୍‌। ଦଳରେ କିଛି ସିନିୟର ନେତାଙ୍କୁ ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି। ପ୍ରଣବ ପ୍ରକାଶ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ରଙ୍କ ଭଳି ନେତାଙ୍କୁ ଦଳ ଭିତରୁ ବିରୋଧ କରିବା ସହ ନବୀନଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ଯୁବ ନେତା। କିଛି ଦିନ ତଳେ ପୂର୍ବତନ ବିଧାୟକଙ୍କ ପୁଅମାନେ ମେଳି କରିଥିବା ନଜରକୁ ଆସିଥିଲା। ଯେଉଁଥିରେ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟ ପ୍ରମୁଖ। ଭୁବନେଶ୍ୱରରେ ମେଳି କରି ଯୁବପିଢିକୁ ଦାୟିତ୍ୱ ଦେବାକୁ ବାର୍ତ୍ତା ଦେଇଥିଲେ। ଏବେ ମେଳି କରିଥିବା ନେତାଙ୍କ ସହ ସାମିଲ ହୋଇଛନ୍ତି ଆଉ କିଛି ଯୁବ ବିଧାୟକ ଓ ନେତା। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ସାହୁ ପ୍ରମୁଖ ଦଳ ପରିଚାଳନା ଦାୟିତ୍ୱରେ ଥିବା ନେତାଙ୍କୁ ବିରୋଧ ଆରମ୍ଭ କଲେଣି। ଏସବୁ ନେତାମାନେ ଗତ ୩ ତାରିଖରେ ଗୋପାଳପୁରରେ ଏକାଠି ହୋଇଥିଲେ। ଯେଉଁଥିରେ ୨୪ ବିପର୍ଯ୍ୟୟ କାରଣ ସାଜିଥିବା ନେତାଙ୍କୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଛି। ଆଉ ଶନିବାର ସନ୍ଧ୍ୟାରେ ଏସବୁ ନେତା ନବୀନ ନିବାସରେ ପହଞ୍ଚି ନିଷ୍ପତ୍ତି ବାବଦରେ ନବୀନଙ୍କୁ ଅବଗତ କରିଛନ୍ତି। ଯାହାକୁ ନେଇ ବଢିଛି ଚର୍ଚ୍ଚା।

Leave a Reply

Your email address will not be published. Required fields are marked *