ବରାହ ପୁରାଣ ଆଧାରରେ ଶ୍ରୀମନ୍ଦିରରେ ପାନ ଓ ଗୁଟଖା ନିଷେଧ
ଶ୍ରୀମନ୍ଦିରରେ ପାନ ଓ ଗୁଟଖା ହେବ ନିଷେଧ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନାହିଁଁ । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି । ଜାନୁଆରୀ ୧ରୁ ଡ୍ରେସକୋଡ୍ ଲାଗୁ ହେବା ସହ ପାନ ଗୁଟଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏହି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ । ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି । ମନ୍ଦିର ଭିତରେ ସେବାୟତ, ପୋଲିସ କି ଭକ୍ତ କେହି ପାନ ଗୁଟଖା ଖାଇପାରିବେ ନାହିଁ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଧ୍ୟ ପାନ ଗୁଟଖା ବ୍ୟାନ୍ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ପୂର୍ବରୁ ୫ଶହ ଟଙ୍କା ଜୋରିମାନା କରାଯାଇଥିଲେ ମଧ୍ୟ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ଏହା କୌଣସି କଟକଣା ନୁହେଁ, ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର । ବରାହ ପୁରାଣ ଓ ନୀଳାଦ୍ରି ମହୋଦୟରେ ଏନେଇ ଉଲ୍ଲେଖ ରହିଛି । ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି । ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।