କଂଗ୍ରେସରେ ଚାଲିଛି ଡିଲ: ଶିଶିର ଗମାଙ୍ଗ
କଂଗ୍ରେସରେ ଚାଲିଛି ଡିଲ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର । ପରିବାରରୁ କାହାକୁ ଟିକେଟ ନମିଳିବା ତାଙ୍କୁ ଆଘାତ ଦେଇଛି ବୋଲି କହିଛନ୍ତି । ସିଧାସଳଖ କୌଣସି ଦଳକୁ ଟାର୍ଗେଟ ନକରି ଥିଲେ ମଧ୍ୟ କଂଗ୍ରେସ ଦଳକୁ ହରାଇବା ପାଇଁ ଜାଣିଶୁଣି ଭିତିରିଆ ଡିଲ୍ ର ଅଭିଯୋଗ ଆଣିଛନ୍ତି ଶିଶିର ଗମାଙ୍ଗ । ସେହିପରି ପିସିସି ସଭାପତି ପରିବାରରୁ ଜଣଙ୍କୁ ଟିକେଟ ମିଳିବ ବୋଲି ଯେଉଁ ମନ୍ତବ୍ୟ ଦେଉଥିଲେ ତାକୁ ମଧ୍ୟ ସମାଲୋଚନା କରିଛନ୍ତି । ଭୂଜବଳ ମାଝିଙ୍କ ପରିବାରରୁ ୪ଜଣଙ୍କୁ ଟିକେଟ ମିଳିଛି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଆଗାମୀ ପଦକ୍ଷେପ କଣ ହେବ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶିଶିର ଗମାଙ୍ଗ । ଚିତ୍ରକୋଣ୍ଡା ଟିକେଟ ଆଶାୟୀ ଶରତ ବୁରୁଦା ମଧ୍ୟ କଂଗ୍ରେସରେ ଟଙ୍କା ନେଇ ଟିକେଟ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସବୁ ସିଟରେ ଟିକେଟ ଦିଆଯାଉନି । କାହା କଥାରେ ମଧ୍ୟ ଟିକେଟ ଦିଆଯାଉନି । ବିଜୟ ସଂଭାବନା ଥିବା ପ୍ରାର୍ଥୀଙ୍କୁ ଫୋକସ କରାଯାଉଛି । କୋରାପୁଟରେ ଜୟରାମ ପାଙ୍ଗି ଓ ଗମାଙ୍ଗ ପରିବାରଙ୍କୁ ନିରାଶ କରାଯାଇନି । ଏଥିସହ ଟିକେଟ ପାଇଁ ଟଙ୍କା ମାଗିବା ଅଭିଯୋଗ ମିଛ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।