ଅହମଦାବାଦ ବିମାନ ଦୁର୍ଘଟଣା ତଦନ୍ତ ପାଇଁ କମିଟି ଗଠିତ

୩ ମାସରେ ରିପୋର୍ଟ ଦେବ କମିଟି

ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ସମଗ୍ର ଦେଶ ସ୍ତବ୍ଧ । ଗୁରୁବାର ଦିନ ଅହମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର ମାତ୍ର ୩୦ ସେକେଣ୍ଡରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ ୨୭୦ରୁ ଅଧିକ ମ୍ତଦେହ ହସପିଟାଲରେ ରହିଛି । ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠିତ ହୋଇଛି ।କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ କମିଟିର ଅଧ୍ୟକ୍ଷ ରହିଛନ୍ତି । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଉଚ୍ଚସ୍ତରୀୟ କମିଟିକୁ ନିର୍ଦ୍ଦେଶ ।

୨୭୦ରୁ ଅଧିକ ଲୋକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ଚିହ୍ନଟ ପାଇଁ ଡିଏନଏ ନମୁନା ମଗାଯାଇଛି । ଏହି ଉଚ୍ଚସ୍ତରୀୟ କମିଟି ଏୟାର ଇଣ୍ଡିଆ ବିମାନ ଏଆଇ-୧୭୧ ଦୁର୍ଘଟଣା ହେବାର କାରଣ ଯାଞ୍ଚ କରିବ । ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଭାରତ ସରକାର କରିବେ । ଏଥିରେ ସଚିବ, ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟ, ଭାରତ ସରକାର, ଅତିରିକ୍ତ ସଚିବ, ଗୃହ ମନ୍ତ୍ରଣାଳୟ, ରାଜ୍ୟ ଗୃହ ମନ୍ତ୍ରଣାଳୟ, ଗୁଜରାଟ ସରକାରଙ୍କ ପ୍ରତିନିଧି, ପୋଲିସ ଡିଜି ସମେତ ଅନେକ ଅଧିକାରୀ ରହିବେ । ଏହି କମିଟି ସାଇଟ ନିରୀକ୍ଷଣ କରିବା ସହିତ ୩ ମାସ ମଧ୍ୟରେ ରିପୋର୍ଟ ଦେବ ।