ଭସାଣ ଶେଷ ଯାଏଁ ଗଡିବନି ଗାଡ଼ି !

ଭସାଣୀ ପାଇଁ ନୂଆ ଗାଇଡଲାଇନ୍

ସାରା ରାଜ୍ୟ ସମେତ ଭୁବନେଶ୍ବରରେ ଦୁର୍ଗାପୂଜା ଧୁମ୍‌ଧାମରେ ଚାଲିଛି । ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ହଜାର ହଜାର ଶ୍ରଦ୍ଧାଳୁ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେଉଛନ୍ତି । ଆସନ୍ତାକାଲି ମା’ ମେଳାଣି ନେବେ । ଏଥିପାଇଁ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଶାନ୍ତି ଶୃଙ୍ଖଳାର ସହିତ ଭସାଣ ଶେଷ କରିବାକୁ‌ ଭୁବନେଶ୍ବର କମିସନରେଟ ପୁଲିସ ଗାଇଡଲାଇନ୍‌ ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ ଅନୁସାରେ ବୁଧବାର ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥି ପାଇଁ ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ । ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି । ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ । ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି । ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବେ । ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଚନ୍ଦ୍ରଶେଖରପୁର ଭସାଣ ‌ବେଳେ କିଟ୍‌ ପାର୍ଶ୍ବରୁ ନାଲକୋ ଛକ ଯିବା ମନା କରାଯାଇଛି। ସେହିସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଅଗ୍ରସର ହେବେ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭରବ୍ରିଜ୍‌କୁ ବ୍ୟବହାର କରିବେ। ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।