ଯାଜପୁରରେ ଦୁଷ୍କର୍ମ ଅଭିଯୋଗ

ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଓ ଅଧ୍ୟକ୍ଷ ନିଲମ୍ୱିତ

ଯାଜପୁରରେ ଦୁଷ୍କର୍ମ ଅଭିଯୋଗ। ଅର୍ଥନୀତି ବିଭାଗ ଅଧ୍ୟାପକ ଓ ଅଧ୍ୟକ୍ଷ ନିଲମ୍ୱିତ। ବରୀ ଥାନା ଅଞ୍ଚଳର ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଉକ୍ତ କଲେଜରେ ଜଣେ +୩ ଶେଷ ବର୍ଷ ଛାତ୍ରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କଲେଜର ଅଧ୍ୟକ୍ଷ ସୁଧୀର କୁମାର ରାଉତ ଘଟଣା ସମାଧାନ କରିବାକୁ ଚେଷ୍ଟା କରୁଥିଲେ! ହେଲେ ସମାଧାନର କୌଣସି ରାସ୍ତା ବାହାରିନଥିଲା ବୋଲି ଚର୍ଚ୍ଚା ହେଉଛି। ତେଣୁ ଗତ ୧୫ ତାରିଖରେ ପୀଡ଼ିତା ଏନେଇ ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଧ୍ୟାପକ ଓ ଅଧ୍ୟକ୍ଷ ନାଁରେ ଅଭିଯୋଗ ଆଣିଥିଲେ। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଅଭିଯୋଗ ପରେ ଅଧ୍ୟାପକ ଓ ଅଧ୍ୟକ୍ଷ ଫେରାର୍‌ ହୋଇଯାଇଥିଲେ। କଲେଜ ଆସୁନଥିଲେ। ଅନ୍ୟପକ୍ଷରେ ନ୍ୟାୟ ନମିଳିବାରୁ ଗତ ୨୦ ତାରିଖ ପୀଡ଼ିତା ଓ ତାଙ୍କ ସାଥୀମାନେ ମହାବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ଏପରିକି ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ପୀଡ଼ିତା ଗାଳି ଗୁଲଜ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ପୀଡ଼ିତା। କିନ୍ତୁ ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଛାତ୍ରଛାତ୍ରୀ ବୁଝାସୁଝା କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏହି ମାମଲାକୁ ଯାଜପୁର ଉପଜିଲ୍ଲାପାଳ ଅଂଶୁମାନ ଶତପଥୀ ଗୁରୁତ୍ୱର ସହ ନେଇଥିଲେ। କଲେଜ ଅଧ୍ୟକ୍ଷ ସୁଧୀର କୁମାର ରାଉତ ଓ ଦୁଷ୍କର୍ମ ଅଭିଯୋଗ ଆସିଥିବା ଅର୍ଥନୈତିକ ବିଭାଗ ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ନିଲମ୍ୱିତ କରିଛନ୍ତି ଯାଜପୁର ଉପଜିଲ୍ଲାପାଳ।