ବିଧାନସଭାରେ ପ୍ରକାଶ ପାଇଲା ଶ୍ବେତପତ୍ର
ବିଧାନସଭାରେ ପ୍ରକାଶ ପାଇଲା ଶ୍ବେତପତ୍ର । ୨୦୨୪ ତୁଳନାରେ ୨୦୨୫ରେ ଧର୍ତ୍ତବ୍ୟ ଅପରାଧରେ ୭.୩% ବୃଦ୍ଧି ପାଇଥିବା ଶ୍ୱେତପତ୍ରରେ ପ୍ରକାଶ ପାଇଛି । ଚୋରି, ଡକାୟତି ସାଙ୍ଗକୁ ମହିଳା ଦୁଷ୍କର୍ମ ଘଟଣା ପ୍ରତିବର୍ଷ ବଢ଼ିବାରେ ଲାଗିଛି । ସରକାରୀ ତଥ୍ୟ କହୁଛି ୨୦୨୪ ତୁଳନାରେ ୨୦୨୫ରେ ରାଜ୍ୟରେ ସାମଗ୍ରିକ ଅପରାଧର ହାରରେ ୭.୩୬ ପ୍ରତିଶତ ବୃଦ୍ଧି ହୋଇଛି । ମହିଳାଙ୍କ ପ୍ରତି ଦୁଷ୍କର୍ମ ଘଟଣା ପୂର୍ବ ବର୍ଷ ତୁଳନାରେ ସାମାନ୍ୟ କମିଥିଲେ ବି ଚିନ୍ତାଜନକ ସ୍ଥିତିରେ ରହିଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାଲେଶ୍ବର ଜିଲ୍ଲା ସବୁଠୁ ସମ୍ବେଦନଶୀଳ । ଦେଶର ମିଜାଇଲ ଜିଲ୍ଲା ଭାବେ ପରିଚିତ ଏହି ଉପକୂଳ ଜିଲ୍ଲା ହତ୍ୟା, ଡକାୟତି ଓ ଦୁଷ୍କର୍ମରେ ରେକର୍ଡ କରିଛି । ୨୦୨୪ରେ ସାମଗ୍ରିକ ଭାବେ ରାଜ୍ୟରେ ୩୦୫୪ଟି ଦୁଷ୍କର୍ମ ଘଟଣା ଘଟିଥିବା ବେଳେ ୨୦୨୫ରେ ଏହି ସଂଖ୍ୟା ୨୯୯୪କୁ ହ୍ରାସ ପାଇଛି । ୨୦୨୪ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ଥିଲା ୨ଲକ୍ଷ ୧୪ ହଜାର ୧୧୩ । ୨୦୨୫ରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ୨ଲକ୍ଷ ୨୯ହଜାର ୮୮୧କୁ ବୃଦ୍ଧି ପାଇଛି । ୨୦୨୪ ନିର୍ବାଚନୀ ବର୍ଷ ତୁଳନାରେ ୨୦୨୫ରେ ଅଧିକ ସଂଖ୍ୟାରେ ହତ୍ୟାକାଣ୍ଡ, ଚୋରୀ ଓ ମୋଟରଯାନ ଦୁର୍ଘଟଣା ଘଟିଛି । ୨୦୨୪ରେ ରାଜ୍ୟର ବିଭିନ୍ନ ଥାନାରେ ୧୨୫୮ ହତ୍ୟା, ୧୭ ହଜାର ୮୦୫ ଚୋରୀ ଓ ୧୨ହଜାର ୩୭୫ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୫ରେ ୧୩୦୪ ହତ୍ୟା, ୨୧ହଜାର ୧୯୨ ଚୋରୀ ଓ ୧୨ହଜାର ୭୮୨ ମୋଟରଜାନ ଦୁର୍ଘଟଣା ମାମଲା ପଞ୍ଜୀକୃତ ହୋଇଛି । ସେହିଭଳି ୨୦୨୫ରେ ୩୫୨ ଡକାୟତି, ୧୮୦୨ ଲୁଟ ଓ ୧୦୯୫ ଦଙ୍ଗା ହୋଇଛି ।
