ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଉଦଘାଟିତ ହେବ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୩୦ମି.ରେ ସରକାରୀ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବେ । ମେଡିକାଲ କଲେଜର ଅଡିଟୋରିୟମ୍‌ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଉଭୟ ୧୧.୪୧ମି.ରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜକୁ ଉଦ୍‌ଘାଟନ କରିବେ । ମେଡିକାଲ କଲେଜ ପରିସରରେ ଉଦ୍‌ଘାଟନୀ ସଭା ଶେଷ ହେବା ପରେ ୧୧.୫୫ମି.ରେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ । ଅପରାହ୍‌ଣ ୧୨.୩୦ମି.ରେ ସେଠାରେ ମୁଖ୍ୟମନ୍ତ୍ରୀ ‘ଲକ୍ଷ୍ମୀ ବସ୍‌’ର ଶୁଭ ଉଦଘାଟନ କରିବେ । ଗସ୍ତ କାଳରେ ପ୍ରାୟ ୧୨୦୦ କୋଟି ଟଙ୍କାର ବୃହତ୍ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍ଷ୍ମୀ ବସ୍‌ରେ ମୁଖ୍ୟମନ୍ତ୍ରୀ ଗୁଡ଼ିଆଳି ପଞ୍ଚାୟତର ବଳରାମପୁରକୁ ଯାଇ ବସ୍‌ଷ୍ଟପ୍‌ର ଉଦ୍‌ଘାଟନ କରିବେ । ସେଠାରୁ ସେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ରହିଛି ।