ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ

ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ମା’ଙ୍କୁ ଦର୍ଶନ କରିବା ସହ ଯଜ୍ଞସ୍ଥଳରେ ପହଞ୍ଚି ସବୁ କିଛି ବୁଲି ଦେଖିଥିଲେ। ଲୋକାର୍ପଣ ପରେ ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାର ତଥା ଶିଳ୍ପୀ ଓ କାରିଗରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ଲୋକାର୍ପଣ ପୂର୍ବରୁ ହୋମଯଜ୍ଞ ଓ ଚଣ୍ଡିପାଠରେ କମ୍ପି ଉଠିଥିଲା ମନ୍ଦିରର ଚାରିଦ୍ୱାର । ପ୍ରକଳ୍ପ ଦ୍ୱାରା ସମଲେଇ ମନ୍ଦିରରେ ଶ୍ରଦ୍ଧାଳୁ ପାଇଛନ୍ତି ଭିନ୍ନ ଅନୁଭୂତି । ୪ ଏକର ପରିସରରେ ଥିବା ମାଆଙ୍କ ପୀଠ ରୂପାନ୍ତରଣ ସ୍ପର୍ଶରେ ୪୦ ଏକରକୁ ପରିବ୍ୟାପ୍ତ ହୋଇଛି । ମନ୍ଦିରର ୪ ଦ୍ବାର ନିର୍ମାଣ ସହ ପ୍ରାକୃତିକ ପରିବେଶରେ ସଜ୍ଜିତ ହୋଇଛି। ପ୍ରତ୍ୟେକ ନିର୍ମାଣରେ ଖଣ୍ଡୋଲାଇଟ ପଥର ବ୍ୟବହାର ସହ ସ୍ଥାନୀୟ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥିଲା। ମନ୍ଦିର ପରିକ୍ରମା ପାଇଁ ପରିକ୍ରମା ମାର୍ଗ, ପ୍ରବେଶ ଦ୍ବାର, ମନ୍ଦିର କାର୍ଯ୍ଯାଳୟ, ପୂଜକ ବିଶ୍ରାମାଳୟ, ଭେଣ୍ଡିଂ ଜୋନ୍, ଜୋତା ଷ୍ଟାଣ୍ଡ ଆଦିକୁ ଐତିହ୍ୟପୂର୍ଣ୍ଣ ଢଙ୍ଗରେ ନିର୍ମାଣ କରାଯାଇଛି । ଏବେ ମାଆଙ୍କ ମନ୍ଦିରରେ ସମସ୍ତ ପୂଜାକାର୍ଯ୍ୟ ସହ ମହାନଦୀ ଆରତିର ଦିବ୍ୟ ଅନୁଭବ ପାଇବାକୁ ସୁବିଧା ହୋଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ପ୍ରକାଶ କରିଛନ୍ତି । ସମଲେଇ ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ୪ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରୀ ପରିକ୍ରମା ପ୍ରକଳ୍ପ ପରେ ମା’ ସମଲେଶ୍ବରୀ ପ୍ରକଳ୍ପ କାମ ହେଉଛ ଆଉ ଏକ ବଡ଼ ରୂପାନ୍ତରଣ। ମା’ଙ୍କ ଦର୍ଶନ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ସହ ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ମହାନଦୀ ଆଳତୀର ଦିବ୍ୟ ଅନୁଭୂତି ନେବେ ଶ୍ରଦ୍ଧାଳୁ।