ଆଜି ନୂଆଁଖାଇ, ମା’ ସମଲେଶ୍ୱରୀଙ୍କଠାରେ ଲାଗି ହେବ ନବାନ୍ନ
ଆଜି ନୂଆଁଖାଇ । ପଶ୍ଚିମ ଓଡ଼ିଶାର ଗଣପର୍ବ । ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପୂରା ପରିବାର ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି । ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ ।ଏହା ପରେ ମାଆଙ୍କ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲାଯିବ । ମାଁ ସମଲେଶ୍ୱରୀଙ୍କ ପୀଠ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ମାଙ୍କ ପାଇଁ ନବାନ୍ନ ମୁଖ୍ୟ ପୂଜକଙ୍କ ସମେତ ଆଉ ଦୁଇ ପୂଜକଙ୍କ ଘରେ ପ୍ରସ୍ତୁତ ହେଉଛି । ଆଉ ମାତ୍ର କେଇଁ ଘଣ୍ଟାର ଅପେକ୍ଷା । ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର । ପାରମ୍ପରିକ ନୃତ୍ୟ ବାଦ୍ୟରେ ଦୁଲୁକିବ ଗାଁ ଦାଣ୍ଡ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହେବ ।ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ସଂସ୍କୃତି , ସମୃଦ୍ଧି ଓ ଏକତାର ପ୍ରତୀକ ନୂଆଁଖାଇ ତିହାର । ନୂଆ ଆଶା ନେଇ ଆସିଥିବା ଏହି ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ । ଏହା ହିଁ ମୁଁ ମାଆ ସମଲେଇଙ୍କ ପାଖରେ ଗୁହାରି କରୁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ଯୋଗଦାନ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ।
