ପ୍ୟାରିସ୍ ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ଖେଳାଳି

କିଶୋର ଜେନା-ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଲେଖାଏଁ ପ୍ରୋତ୍ସାହନ ରାଶି

ପ୍ୟାରିସ୍ ଅଲିମ୍ପିକ୍ସରେ ଚମକିବେ ଓଡ଼ିଆ ଖେଳାଳି। ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଆଥଲେଟ୍ କିଶୋର ଜେନା ଓ ହକି ଖେଳାଳି ଅମିତ ରୋହିଦାସ। ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉଭୟଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଶାର ଦୁଇ ଯୁବ ତାରକା ଅମିତ ରୋହିଦାସ ଏବଂ କିଶୋର ଜେନା। ଏନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତି କରିବା ସହ କହିଛନ୍ତି, “ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅମିତ ରୋହିଦାସ ଏବଂ କିଶୋର ଜେନା ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି। ସେମାନଙ୍କ ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ରାଜ୍ୟର ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୋର ବିଶ୍ୱାସ”।