ତାତିରୁ ମିଳିଲା ଆଶ୍ୱସ୍ତି

ଝିପିଝିପି ବର୍ଷାରେ ଭିଜିଲା ଓଡ଼ିଶା

ତାତିରୁ ମିଳିଲା ଆଶ୍ୱସ୍ତି । ଝିପିଝିପି ବର୍ଷାରେ ଭିଜିଲା ଓଡ଼ିଶା । ରାଜ୍ୟର କେତେକ ସ୍ଥାନରେ ସକାଳୁ ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ହେଉଥିବାର ଦେଖିବାକୁ ମିଳିଛି । ରାଜଧାନୀରେ ମଧ୍ୟ ସକାଳୁ ଝିପିଝିପି ବର୍ଷା ହୋଇଛି। ଆଜିଠୁ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି। ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଆଜି ପଶ୍ଚିମା ଝଡର ସର୍ବାଧିକ ପ୍ରଭାବ ରହିବ। ଘଡଘଡି ବିଜୁଳି ସହ ବଜ୍ରପାତ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ ଏବଂ ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହାସହ ଦେବଗଡ, ସୁନ୍ଦରଗଡ, ବୌଦ୍ଧ, କନ୍ଧମାଳ, ରାୟଗଡା, ମାଲକାନଗିରି, କୋରାପୁଟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ।