ସ୍ୱଚ୍ଛ ଭାରତର ଥିମ୍ ‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’
ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ । ଏହି ପରିପ୍ରେକ୍ଷାରେ ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ-୨୦୨୪ ସାରା ରାଜ୍ୟରେ ପାଳନ କରାଯିବ । ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ (ଥିମ୍) ରହିଛି ”ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା” । ସ୍ୱଚ୍ଛତା ତଥା ପରିମଳ ରକ୍ଷା ପାଇଁ ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଥିବା ବେଳେ ଜନସାଧାରଣଙ୍କର ସହଭାଗିତା ଏବଂ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଗୁରୁବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ଅଭିଯାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଓ ସ୍ୱଚ୍ଛ ଭାରତ ମିଶନ (ସହର ) ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ବିଶେଷ କରି ଏହି ଦୁଇ ବିଭାଗ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସମେତ ଅନ୍ୟ ସଂପୃକ୍ତ ବିଭାଗ ସହଯୋଗରେ କରାଯିବ । ଏ ସଂପର୍କରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଅଭିଯାନରେ ବିଭିନ୍ନ କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହେବ, ସେସଂପର୍କରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ ଉପସ୍ଥାପନ କରିଥିଲେ । ଏହି ଅଭିଯାନରେ ନାଗରିକ ସମୂହ, ବିଭିନ୍ନ ଗୋଷ୍ଠୀ ଓ ଅନୁଷ୍ଠାନମାନଙ୍କର ସଂପୃକ୍ତି, ସ୍ୱଚ୍ଛତା ଶପଥ ପାଠ, ବିଭିନ୍ନ ପ୍ରତିଯୋଗିତା, ପଦଯାତ୍ରା, ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ଜନସଚେତନତା ଓ ଜନସାଧାରଣଙ୍କର ଭାଗିଦାରିତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ ।