ଶ୍ରୀଜିଉଙ୍କୁ ଲାଗି ହେବ ରତ୍ନଚିତା
ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି । ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ମହାପ୍ରଭୁଙ୍କ ଚିତାଲାଗି ନୀତି ସମ୍ପନ୍ନ ହେବ । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ରତ୍ନ ଚିତାକୁ ଦଇତାପତିମାନେ ଆଜି ଲଗାଇଥାନ୍ତି । ଜଗନ୍ନାଥଙ୍କୁ ଶୁଭ୍ର ହୀରା ,ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି ହେବ । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ଏହି ନୀତି ପାଇଁ ଶ୍ରୀମନ୍ଦିରରେ ଅପରାହ୍ନ ୨ଟାରୁ ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ପିଠା ଅର୍ପଣ କରାଯାଇଥାଏ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସାଯାଏ । ଏଥିସହିତ ପୁରୀ ଜିଲ୍ଲାର ଅନେକ ସ୍ଥାନରେ ଦକ୍ଷିଣାୟନ ସଂକ୍ରାନ୍ତି ପାଇଁ ବ୍ରାହ୍ମଣ ଘରେ ବିଶେଷ ପୂଜାର୍ଚ୍ଚନା କରାଯାଏ । ଘରର ମାଆ ମାନେ ଦକ୍ଷିଣ ଦିଗକୁ ଖୋଲୁଥିବା କବାଟରେ ଲକ୍ଷ୍ମୀଙ୍କ ପ୍ରତିମା ଆଙ୍କି ପୂଜା କରିଥାନ୍ତି ।