ପୁରୀରେ ହବିଷ୍ୟାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢି, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ପ୍ରଭୃତି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ ମା’ମାନଙ୍କୁ ଦଣ୍ଡବତ ହୋଇ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ସେ କହିଛନ୍ତି ଯେ, ଆପଣ ମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ ପ୍ରଦାନ କରି ଏହା ମୋ ନିଜର ମା’ଙ୍କୁ ଦେବା ପରି ଅନୁଭବ କରୁଛି’। ସେ କହିଛନ୍ତି ଯେ, ଆପଣମାନେ ସମସ୍ତେ ଏହାକୁ ବ୍ରତ ପାଳନ ବେଳେ ବ୍ୟବହାର କରିବେ। ଏ ମାସ ସାରା ଆପଣମାନେ ଯେପରି ଖୁବ୍ ଭଲ ଭାବରେ ହବିଷ କରିବେ, ମହାପ୍ରଭୁଙ୍କ ଦର୍ଶନ କରିବେ, ମହାପ୍ରସାଦ ସେବନ କରିବେ, ଭଜନ କୀର୍ତ୍ତନ ଶୁଣିବେ ଓ ଖୁସି ମନରେ ଘରକୁ ଫେରିବେ, ସେଥିପ୍ରତି ଯତ୍ନବାନ ହେବାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ବୋଲି ସେ କହିଥିଲେ। ମା’ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଡାକ୍ତର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆପଣମାନେ ଭଲରେ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ। ନିଜ ପରିବାର ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।