ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ
ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଓଡ଼ିଶାରେ ନୂଆ ମନ୍ତ୍ରୀମଣ୍ଡଳ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଥିବେଳେ କୁହାଯାଉଛି ତାଲିକାରେ ମୋହର ମାରିବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ବିଜେପି ସରକାର ପ୍ରଥମ ଥର ପାଇଁ ଓଡ଼ିଶାରେ ଗଠନ ହେବା ପରେ ଏହି ସମ୍ପ୍ରସାରଣ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ନୂଆ ମନ୍ତ୍ରୀମାନଙ୍କ ତାଲିକା ନେଇ ଭାଜପା ନେତୃତ୍ୱ ମଧ୍ୟରେ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା ସରିଥିବା ସୂଚନା ମିଳିଛି।ଏହି ସମ୍ପ୍ରସାରଣରେ ଅନେକ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ନୂଆ ମନ୍ତ୍ରୀମାନଙ୍କ ଚୟନ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିତ୍ୱ ଓ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଏହି ସମ୍ପ୍ରସାରଣ ନେଇ ରାଜନୈତିକ ମହଲରେ ଉତ୍ସାହ ଦେଖାଦେଇଛି। ଆଗାମୀ ଦିନରେ କେଉଁ ନେତାମାନେ ମନ୍ତ୍ରୀ ପଦ ପାଇବେ ଓ କେଉଁ ବିଭାଗର ଦାୟିତ୍ୱ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
