‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ନବରଙ୍ଗପୁର ଠାରେ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ନବରଙ୍ଗପୁର ସମେତ ଭଦ୍ରକ, ବାରିପଦା, ସମ୍ବଲପୁର, ଏବଂ ବ୍ରହ୍ମପୁର ଠାରୁ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି । ଆସନ୍ତା ୪ ବର୍ଷରେ ଏହି ଯୋଜନାରେ ମହାପ୍ରଭୁଙ୍କ ଦର୍ଶନ କରିବେ ୧ ଲକ୍ଷରୁ ଉର୍ଦ୍ଧ୍ୱ । ଚଳିତ ବର୍ଷ ୫ଟି ଜିଲ୍ଲାରୁ ପ୍ରାୟ ୫୦୦୦ ଶ୍ରଦ୍ଧାଳୁ ଏସ୍କଟ ଅଫିସରଙ୍କ ସହିତ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି ।
ଏଥି ସହିତ ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲାବାସୀଙ୍କ ବହୁ ଆକାଂକ୍ଷିତ ମେଡିକାଲ କଲେଜର ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ନବରଙ୍ଗପୁରର ପାତାଲଗୁଡାଠାରେ ୫୦ ଏକରରୁ ଉର୍ଦ୍ଧ୍ୱ ଜାଗା ଉପରେ ପ୍ରତିଷ୍ଠା ହେବାକୁ ଥିବା ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୦ ଏମ୍.ବି.ବି.ଏସ୍ ସିଟ ଓ ୪୨୦ଟି ଶଯ୍ୟା ରହିବ। ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପରେ ଜିଲ୍ଲାବାସୀ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇଁ ଆଉ ଜିଲ୍ଲା ବାହରକୁ ଯିବେ ନାହିଁ, ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଜିଲ୍ଲା ଭିତରେ ହିଁ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବାର ମାତ୍ର ୨୦ ମାସ ମଧ୍ୟରେ ଯାଜପୁର, କନ୍ଧମାଳ ଓ ତାଳଚେରରେ ୩ଟି ନୂଆ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଛି। ଏଥି ସହିତ ଆଉ ୪ଟି ମେଡିକାଲ କଲେଜ ଆମର ପ୍ରତିଶ୍ରୁତି ଥିଲା। ଆଜି ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶୁଭ ଦିଆଗଲା। ଖୁବ୍ ଶୀଘ୍ର ଢେଙ୍କାନାଳ, ଜଗତସିଂହପୁର ଓ ଭଦ୍ରକରେ ମଧ୍ୟ ମେଡିକାଲ କଲେଜ ସ୍ଥାପନ ହେବ। ରାଜ୍ୟବାସୀଙ୍କୁ ଗୁଣାତ୍ମକମାନର ସ୍ୱାସ୍ଥ୍ୟସେବା ଓ ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
