ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବିଲ୍ଡିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବିଲ୍ଡିଂ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥି ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ପୂରଣ ହେବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ ସ୍ୱାସ୍ଥ୍ୟ ସେବା ପାଇଁ କୋରାପୁଟବାସୀଙ୍କୁ ଯେପରି ଆଉ ଦୂର ଦୁରାନ୍ତ ସହରକୁ ଯାଇ ହଇରାଣ ହରକତ ହେବାକୁ ନପଡେ ସେଥିପାଇଁ ଆମ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି । ଏହି ମେଡିକାଲ କଲେଜ ହସ୍‍ପିଟାଲ ଦ୍ବାରା କୋରାପୁଟ ସମେତ ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଆଦି ଜିଲ୍ଲା ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଲୋକମାନେ ମଧ୍ୟ ଉପକୃତ ହେବେ। ଏହି ନୂଆ ହସ୍‍ପିଟାଲରେ ଆପଣମାନେ ସବୁପ୍ରକାରର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ । ସେ କହିଥିଲେ ଯେ ବିକାଶ ସହିତ ଦୁର୍ନୀତିମୁକ୍ତ ଶାସନ ଦେବା ଆମର କର୍ତ୍ତବ୍ୟ । ଆମ ସରକାର ଆସିବା ପରେ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁଣାତ୍ମକମାନ ବୃଦ୍ଧି କରିବା ଉପରେ ପ୍ରାଥମିକତା ଦେଉଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ଷ ବର୍ଷ ଧରି ଖାଲି ପଡିଥିବା ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ୧୨ ଟି ସରକାରୀ ମେଡିକାଲ କଲେଜ ଅଛି । ଖୁବ୍‍ଶୀଘ୍ର ଆଉ ୪ଟି ଜିଲ୍ଲା ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ମେଡିକାଲ କଲେଜ ସ୍ଥାପନ ହେବ ।

ଏହି ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀମାନଙ୍କ ପାଇଁ ବହୁବିଧ ଚିକିତ୍ସା ସୁବିଧା କରାଯାଉଛି । ସି.ଟି ସ୍କାନ୍, ଡାଏଲିସିସ୍, ମାମୋଗ୍ରାଫି ପରି ଅତ୍ୟାଧୁନିକ ରୋଗ ନିରୂପଣ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଗୁରୁତର ରୋଗୀମାନଙ୍କ ପାଇଁ ଯେପରି ଅକ୍ସିଜେନର ଅଭାବ ନହେବ ସେଥିନିମନ୍ତେ ସ୍ବତନ୍ତ୍ର ଅକ୍ସିଜେନ୍ ପ୍ଲାଣ୍ଟ ବସାଯାଉଛି । ଏହି ହସ୍‍ପିଟାଲ ସଂଲଗ୍ନ ୨ ଏକର ପରିମିତ ଜାଗାରେ କ୍ୟାନ୍ସର ଚିକିତ୍ସା ହସ୍‍ପିଟାଲ ମଧ୍ୟ ନିର୍ମାଣ କରାଯାଉଛି । ଏଥିପାଇଁ ଆମ ସରକାର ପ୍ରାୟ ୪୧ କୋଟି ୧୫ ଲକ୍ଷ ଟଙ୍କାର ବ୍ୟୟ ବରାଦ କରିଛନ୍ତି ବୋଲି ସେ କହିଥିଲେ।ଆମ ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ କରିଛନ୍ତି ।ବର୍ତ୍ତମାନ ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟ କରୁଛି । ଏହା ମାଧ୍ୟମରେ ଆମ ରାଜ୍ୟର ୩ କୋଟି ୪୬ ଲକ୍ଷ ଅର୍ଥାତ୍‍ ୮୦ ପ୍ରତିଶତ ଲୋକ ଉପକୃତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି ଯୋଜନାରେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୧ ହଜାର ହିତାଧିକାରୀମାନଙ୍କ ପାଇଁ ୯୦୦ କୋଟି ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି । ସେହିଭଳି ଧନୀ, ଗରିବ ନିର୍ବିଶେଷରେ ୭୦ ବର୍ଷରୁ ଉର୍ଦ୍ଧ୍ୱ ୮୬୪୪ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୩୫ କୋଟି ୬୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।