ତିନିରଥର ବେଦି ନିର୍ମାଣ ଶେଷ
ରଥ ନିର୍ମାଣର ୫୦ତମ ଦିନରେ ତିନିରଥର ବେଦି ନିର୍ମାଣ ଶେଷ ହୋଇଛି। ତିନିରଥରେ ପଟା ପଡ଼ି ବେଦି ନିର୍ମାଣ ଶେଷ ହେବା ପରେ ବେଦି ସିଂହାସନ ମୁହାଁଟିର ରଙ୍ଗକାର୍ଯ୍ୟ ଚିତ୍ରକାର ସେବକ ଆରମ୍ଭ କରିଛନ୍ତି। ରଙ୍ଗ କାର୍ଯ୍ୟ ସରିବା ପରେ ବେଦିରେ ସିଂହାସନ ମୁହାଁଟି ଖଞ୍ଜାଯିବ। ଗତକାଲି ସୁଦ୍ଧା ତିନିରଥର ପ୍ରଭା ଫ୍ରେମ୍ରେ ପଟା ପଡ଼ିବା ଶେଷ ହୋଇ ଥିଲା। ଏହି ପ୍ରଭା ଫ୍ରେମରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଂ ଶେଷ ହୋଇଛି। ଆଜିଠୁ ରୂପକାର ସେବକମାନେ ପ୍ରଭାଗୁଡ଼ିକରେ ରୂପ ଖୋଦେଇ କାର୍ଯ୍ୟ ଆରମ୍ଭ କରିବେ। ତିନିରଥର ୧୨ଟି ଦୁଆର ବେଢ଼ାରୁ ଗତକାଲି ସୁଦ୍ଧା ତିନିରଥର ଗୋଟିଏ ଗୋଟିଏ ଦୁଆର ବେଢ଼ା ନିର୍ମାଣ ଶେଷ ହୋଇଥିଲା। ଆଜି ଆଉ ଦୁଇଟି ଲେଖାଏଁ ଦୁଆର ବେଢ଼ା ନିର୍ମାଣ ଶେଷ ହେବା ସହ ବାକି ତିନିଟି ଦୁଆର ବେଢ଼ା ନିର୍ମାଣ ପାଇଁ ଫ୍ରେମ୍ ପ୍ରସ୍ତୁତି ପାଇଁ ପଟା ବଟନ୍ ସାଇତା ଆରମ୍ଭ ହୋଇଛି।
ତିନିରଥର ୧୨ଟି ଲେଖାଏଁ କଣି ଫାଉଡ଼ା ନିର୍ମାଣ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର ମୋଟ ୨୪ଟି ନାଟଗୋଡ଼ରୁ ୧୮ଟି ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ ଶେଷ କରିଥିଲେ। ବାକି ୬ଟି ନାଟଗୋଡ଼ର ରୂପ ଖୋଦେଇ ସମ୍ପୂର୍ଣ୍ଣ କରି ତିନି ରଥର ପଟା ଗୁଜଗୁଡ଼ିକରେ ନର ବିରଳ, ଗଜ ବିରଳ ଓ ସିଂହ ବିରଳ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଚିତ୍ରକାର ସେବକମାନେ ତିନିରଥ ଗୋଟିଏ ଗୋଟିଏ ସିଂହାସନ ମୁହାଁଟିରେ ପ୍ରାଇମର୍ ଦେବାସହ ନାଟ ଗୋଡ଼ଗୁଡ଼ିକର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକମାନେ ତିନିରଥର ୨୪ଟି ବତା କନାରେ ୭୨ଟି ବିଳାସ ପଟି ଲାଗି ଶେଷ କରି ତିନିରଥ ୧୨ଟି ଦୁଆର ବେଢ଼ା ପାଇଁ କନା କାଟିବା ପରେ ସେଥିରେ ଲେସ୍, ଚିକ୍କଣ ସିଲଭର ଜରିରେ ଫୁଲଡାଳି ପକା କାର୍ଯ୍ୟ ଜାରି ରଖିଛନ୍ତି।
