ଏପ୍ରିଲ ୩୦ରୁ ଚାରିଧାମ ଯାତ୍ରା ଆରମ୍ଭ
ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେବ । ଏଥିପାଇଁ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି । ପ୍ରତିଥର ଭଳି ଯାତ୍ରା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆଧାର କାର୍ଡ ଜରିଆରେ ଯୋଡିବା ପାଇଁ ପ୍ରସ୍ତୁତି ଚାଲିଛି । ଏହା ଚାରିଧାମ ଯାତ୍ରା ସମୟରେ ସୁରକ୍ଷା ଏବଂ ବ୍ୟବସ୍ଥିତ କରିବାରେ ସହାୟତା ହେବ । ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କବାଟ ଖୋଲିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ଗତବର୍ଷ ଚାରିଧାମ ଯାତ୍ରାରେ ୪୬ ଲକ୍ଷରୁ ଅଧିକ ଲୋକ ଯାଇଥିଲେ । ଗତଥର ଯାତ୍ରା ଆରମ୍ଭ ପୂର୍ବରୁ ପଞ୍ଜିକରଣରେ ସମସ୍ୟା ଆସିଥିଲା । ଆଉ ଯେଉଁମାନେ ବିନା ପଞ୍ଜିକରଣରେ ଯାଇଥିଲେ, ସେମାନେ ସମସ୍ୟା ଭୋଗିଥିଲେ ।ତେଣୁ ଏଥର ୬୦ ପ୍ରତିଶତ ଅନଲାଇନ ଏବଂ ୪୦ ପ୍ରତିଶତ ଅଫଲାଇନ ରେଜିଷ୍ଟ୍ରେସନ ହେବ । ଅଫଲାଇନ ରେଜିଷ୍ଟ୍ରେସନ ଯାତ୍ରା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ହେବ । ଆଉ ଅନଲାଇନ ରେଜିଷ୍ଟ୍ରେସନ ମାର୍ଚ୍ଚ ୧୧ରୁ ଆରମ୍ଭ ହେବ । ଉତ୍ତରାଖଣ୍ଡ ସରକାରଙ୍କ ସରକାରୀ ୱେବସାଇଟ୍ registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜୀକରଣ କରାଯିବ ।ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ । ଯାତ୍ରାର ଗୋଟିଏ ମାସ ପୂର୍ବରୁ କୌଣସି ପ୍ରକାରର ଭିଆଇପି ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ସମସ୍ତ ଶ୍ରଦ୍ଧାଳୁଙ୍କୁ କେବଳ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ହିଁ ଦର୍ଶନ କରିବାକୁ ପଡ଼ିବ ।ଯାତ୍ରା ମାର୍ଗକୁ ଛୋଟ ଛୋଟ ସେକ୍ଟରରେ ବିଭକ୍ତ କରାଯିବ ଏବଂ ପ୍ରତି ୧୦ କିଲୋମିଟରରେ ପୋଲିସ ମୁତୟନ ରହିବେ । ଅତିରିକ୍ତ ପୋଲିସ ଫୋର୍ସ ସହିତ ଡ୍ରୋନ୍ ଏବଂ ହେଲିକପ୍ଟର ମାଧ୍ୟମରେ ମଧ୍ୟ ନଜର ରଖାଯିବ । ଅତ୍ୟାବଶ୍ୟକ ଯାତ୍ରୀଙ୍କ ପାଇଁ ମାଗଣା ଖାଦ୍ୟ ସହ ରହିବାର ମଧ୍ୟ ବ୍ୟବସ୍ଥା କରାଯିବ । ମାଘ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀ ଦିନ ତେହେରୀର ନରେନ୍ଦ୍ର ନଗର ରାଜଦାରବାରରେ ପାରମ୍ପରିକ ବିଧି ଅନୁସାରେ ବଦ୍ରିନାଥ ଧାମର କବାଟ ଖୋଲିବାର ତାରିଖ ସ୍ଥିର କରାଯାଇଥିଲା ।
