ଗତ ୨୪ଘଣ୍ଟା ଭିତରେ ବଦଳିଛି ରାଜ୍ୟର ପାଣିପାଗ। ଅଜିଠୁ ପ୍ରବଳ ବର୍ଷା । ସକାଳୁ ବର୍ଷାର ପ୍ରଭାବ ଟ୍ଵିନସିଟି କଟକ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏହା ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜିଠୁ ଆଗାମୀ ୩ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସକାଳ ସାଢ଼େ ଆଠଟା ସୁଦ୍ଧା ପାରାଦୀପରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ୮୬.୬ ମିମି,ଢେଙ୍କାନାଳରେ ୭୦ ମିମି ନୟାଗଡରେ ୪୩.୧ ମିମି, କେନ୍ଦ୍ରାପଡ଼ାରେ୨୨.୪ ମିମି, ଭୁବନେଶ୍ୱରରେ ୧୪.୭ ମିମି, ଗୋପାଳପୁରରେ ୨.୧ ମିମି, ଚାନ୍ଦବାଲିରେ ୧୧.୯ ମିମି ଓ ବାଲେଶ୍ୱରରେ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି।
ମୌସୁମୀ ନିମ୍ନ ଚାପ ରେଖାର ପୂର୍ବ ଭାଗ ତାର ସାଧାରଣ ଅବସ୍ଥାନର ଦକ୍ଷିଣରେ ରହିଛି । ଫଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟ । ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ୨ ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ସକାଶେ ଚେତାବନୀ ଜାରି ହୋଇଛି । ଟୁଇନ ସିଟିରେ ତୀବ୍ର ରୁ ଅତି ତୀବ୍ର ବର୍ଷା ଲାଗିରହିଛି । ଫଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବା ନେଇ ସନ୍ଦେହ ଦେଖିବାକୁ ମିଳିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ ।
ପରେ ୧୯ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଏହା ଜୁଲାଇ ୨୧ରେ ଅବପାତର ରୂପ ନେବ । ଜୁଲାଇ ୨୨ରେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଏହା ପ୍ରଭାବରେ ଜୁଲାଇ ୧୮ରୁ ୨୭ଯାଏ ଓଡ଼ିଶାର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ସୂଚନା ଜାରି କାଯାଇଛି ।