‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ୨୪ରେ ଆସିବ କେନ୍ଦ୍ରୀୟ ଟିମ୍‌

‘ଦାନା’ କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିଜନିତ କ୍ଷୟକ୍ଷତିର ଆକଳନ ପାଇଁ ଆସନ୍ତା ୨୪ତାରିଖରେ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରଣାଳୟ ଟିମ୍ ଓଡ଼ିଶା ଆସିବ। ଏହି ଟିମ୍ ୨୭ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ପ୍ରଭାବିତ ୩ଟି ଜିଲ୍ଲା ଗସ୍ତ କରିବା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ‘ଦାନା’ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ୨୪ତାରିଖରେ ଓଡ଼ିଶା ଆସିବେ। ୨୭ତାରିଖ ପର୍ଯ୍ୟନ୍ତ ପ୍ରଭାବିତ ୩ଟି ଜିଲ୍ଲାକୁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିବେ। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଓଡ଼ିଶା ଆସୁଛନ୍ତି। ସେମାନେ ୨୫ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଯାଇ କ୍ଷୟକ୍ଷତି ଆକଳନ ଓ ସ୍ଥିତି ପରଖିବେ। ୨୬ତାରିଖରେ ଲୋକସେବା ଭବନରେ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବେ।

କେନ୍ଦ୍ରୀୟ ଟିମ୍ ଗସ୍ତବେଳେ ଜିଲ୍ଲାପାଳମାନେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ। ତେବେ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଶୀକାର ଓଡ଼ିଶା ହେଉଥିବାରୁ ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ମଗାଯିବ ଓ ଏନେଇ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ ଚାଲିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *