ଚାଲିପାରୁନି ଗୃହ, ଫେଲ ମାରିଲା ସର୍ବଦଳୀୟ ବୈଠକ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ

ଆଜି ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହୋହଲ୍ଲା ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ଗୃହରେ ସ୍ଵାଭାବିକ ସ୍ଥିତି ନହେବାରୁ ପ୍ରଥମେ ଦିନ ୧୨ଟା ଓ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ପ୍ରଥମେ ବିରୋଧୀଙ୍କ ନାରାବାଜି ଯୋଗୁଁ ଗୃହକୁ ଦିନ ୧୨ଯାଏଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡ଼ାକିଥିଲେ ବାଚସ୍ପତି । ଆଶାଥିଲା କି ବୈଠକ ପରେ ସ୍ଵାଭାବିକ ହେବ ଗୃହ ପ୍ରଶ୍ନକାଳ । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ପୋଡିୟମ ତଳେ ନାରାବାଜି କରିଥିଲେ ।ସେପଟେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ଓ ଏମଏସପି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ ।

ହଙ୍ଗାମା ପରେ ଗୃହକୁ ପ୍ରଥମେ ୫ ମିନିଟ୍ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ବିଜେପି ବିଧାୟକମାନେ କଳାବ୍ୟାଜ୍ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ । ବିଜେପି ବିଧାୟକ ପଚାରୁଥିବା ପ୍ରଶ୍ନକୁ ନାକଚ କରାଯାଉଥିବା ଅଭିଯୋଗ ଆଣି ଗୃହର ମଧ୍ୟଭାଗରେ ହୋହଲ୍ଲା କରିଥିଲେ । ସେପଟେ ବିଜେଡି ବିଧାୟକମାନେ ମଧ୍ୟ ଏମଏସପି ପ୍ରସଙ୍ଗ ଉଠାଇ ହଟଗୋଳ କରିଥିଲେ । ନିଜ ଆସନରୁ ଛିଡା ହୋଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ହେଲେ ଗୃହ କାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି କରିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ ମାରିଛି । ତେବେ ଗୃହ ସ୍ଵାଭାବିକ ନହେବାରୁ ପ୍ରଶ୍ନକାଳ ମଧ୍ୟ ସୁରୁଖୁରୁରେ ଚାଲି ପାରୁନି ।