ଆଜି ସରିବ ପ୍ରଚାର, ବୁଧବାର ଭୋଟ

ଆଜି ଶେଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର

ଆଜି ଶେଷ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର। ଦୁଇ ଦିନ ପରେ 5 ତାରିଖ ବୁଧବାର ପଡିବ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ। ରାଜନୈତିକ ଦଳଗୁଡ଼ିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସର ପ୍ରମୁଖ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ରାଲି ଏବଂ ରୋଡ୍ ସୋ’ କରୁଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ବୁଧବାର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଚଳିତ ମାସ ୮ ତାରିଖରେ ଭୋଟ୍ ଗଣତି ହେବ। ସେପଟେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀର ମୁସ୍ତାଫାବାଦ ଏବଂ କରାୱାଲ ନଗରରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ କଡା ଆକ୍ରମଣ କରିଥିଲେ। ସେ ଆପ ସରକାରଙ୍କ ବିରୁଦ୍ଧରେ ଦୁର୍ନୀତି, ପ୍ରତିଶ୍ରୁତି ଭାଙ୍ଗିବା ଏବଂ ଦିଲ୍ଲୀବାସୀଙ୍କୁ ଠକିବା ଭଳି ଗମ୍ଭୀର ଅଭିଯୋଗ ଆଣିଥିଲେ। ଅମିତ ଶାହା କହିଛନ୍ତି ଯେ ଆପ ସରକାର ଦିଲ୍ଲୀକୁ ଅଳିଆ ଗଦାରେ ପରିଣତ କରିଛି। ସେ ଅଭିଯୋଗ କରିଛନ୍ତି ଯେ ଯମୁନା ନଦୀ ସଫା କରିବା ପାଇଁ ଆବଣ୍ଟିତ ଟଙ୍କା ଦୁର୍ନୀତିର ଶିକାର ହୋଇଛି, ଯାହା ଯୋଗୁଁ ନଦୀର ପାଣି ଅତ୍ୟନ୍ତ ପ୍ରଦୂଷିତ ହୋଇଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ବର୍ଷା ସମୟରେ ଦିଲ୍ଲୀରେ ପାଣି ଜମି ରହିବା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ପାଇଁ ସେ କେଜରିୱାଲ ସରକାରଙ୍କ ଭୁଲ ପରିଚାଳନାକୁ ଦାୟୀ କରିଛନ୍ତି। ରାଲିରେ ସେ କହିଥିଲେ ଯେ ଫେବୃଆରୀ ୮ ତାରିଖରେ ସରକାର ପରିବର୍ତ୍ତନ ହେବ। ଏହା ପରେ, ଆମେ ସମସ୍ତ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ବାଛି ବାଛି ବାହାର କରିଦେବୁ। ଶାହା କେଜରିୱାଲଙ୍କୁ ତାଙ୍କର ପୁରୁଣା ପ୍ରତିଶ୍ରୁତି ମନେ ପକାଇ ଦେଇଥିଲେ ଏବଂ କହିଥିଲେ ଯେ ସେ କହିଥିଲେ ଯେ ସେ ନା ଗାଡ଼ି ନେବେ, ନା ବଙ୍ଗଳା, ନା ସୁରକ୍ଷା ନେବେ। କିନ୍ତୁ ଏବେ ସେ ୫୧ କୋଟି ଟଙ୍କାର ଏକ ଶୀଶ ମହଲ ନିର୍ମାଣ କରିଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କେଜରିୱାଲ ଆବାସିକ ଅଞ୍ଚଳ, ସ୍କୁଲ ଏବଂ ମନ୍ଦିର ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ, ଯଦିଓ ସେ ସେଗୁଡ଼ିକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Leave a Reply

Your email address will not be published. Required fields are marked *