ସରିଲା କ୍ଯାବିନେଟ ବୈଠକ, ୧୯ ପ୍ରସ୍ତାବକୁ ମଞ୍ଜୁରୀ

କ୍ୟାବିନେଟରେ ମିଲେଟ ମିଶନକୁ ଗୁରୁତ୍ଵ

ଆଜି ବସିଥିବା କ୍ଯାବିନେଟ ବୈଠକରେ ଆସିଲା ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଏହି ବୈଠକରେ ୧୯ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ରାଜ୍ୟ କ୍ୟାବିନେଟ୍ ବୈଠକ। ୧୯ଟି ପ୍ରସ୍ତାବରେ ମୋହର ବାଜିଥିବା ବେଳେ ମିଲେଟ ମିଶନକୁ ଦିଆଯାଇଛି ଗୁରୁତ୍ଵ । କିପରି ଏହି ମିଶନକୁ ଆହୁରି ଆଗକୁ ନିଆଯାଇ ପାରିବ ସେ ଦିଗରେ ହୋଇଛି ଆଲୋଚନା । ଏହା ସହ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ପାଇଁ ପାଣ୍ଠି ଅନୁଦାନ ମଂଜୁର ହୋଇଛି ।

ଓଡ଼ିଶା ମୋବାଇଲ୍ ଟାଓ୍ବାର ଓ ଟେଲିଗ୍ରାଫ ଲାଇନ୍ ଓଏଫସି ଏବଂ ଏହି ସଂପର୍କିତ ଭିତ୍ତିଭୂମି ସଂଶୋଧନ ପଲିସିକୁ ଅନୁମୋଦନ ମିଳିଛି । ନାଇଜର ପରିସରରେ ହେବାକୁ ଥିବା ଟାଟା କ୍ୟାନସର ହସ୍ପିଟାଲ ପାଇଁ ଜଟଣୀରେ ୪୮ ଏକରରୁ ଅଧିକ ଜମି ଲିଜ୍ ସୂତ୍ରରେ ଦିଆଯାଇଛି । ରାଜ୍ୟର ୪ ହଜାର ୩୩୭ ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ । ସିଏସପି ପ୍ଲସ୍ ବ୍ୟାଙ୍କିଂ ଆଉଟଲେଟ୍ ଦ୍ବାରା ସରକାର ଏହି ସେବା ଯୋଗାଇ ଦେବେ ।

ଏହି ପ୍ରସ୍ତାବ ମଧ୍ୟରେ ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ ଅନୁମତି ମିଳିଛି । ରାଜ୍ୟରେ ଖାଲି ପଡ଼ିଥିବା ପଦବୀରେ ଅନୁସୂଚିତ ଜାତି ଜନଜାତିଙ୍କ ନିଯୁକ୍ତି ସଂପର୍କିତ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ କରିଛି। ତେବେ ଆଜିର କ୍ୟାବିନେଟରେ ଆସିଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି।