ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ

୧୩ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ମନୋଜ ଆହୁଜା କହିଛନ୍ତି ଯେ ‘ସମୃଦ୍ଧ ସହର’ ଯୋଜନାରେ ରାଜ୍ୟ ସରକାର ସହର ପରିକଳ୍ପନା ଯୋଜନା ଏବଂ ସହରଗୁଡ଼ିକୁ ବିକାଶ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଯୋଜନା କରିଛନ୍ତି। ସହର ପରିକଳ୍ପନା ଯୋଜନାରେ ସହର ପାର୍ଶ୍ବବର୍ତ୍ତୀ ସହରାଞ୍ଚଳ ଜମିକୁ ଏକତ୍ରିତ କରି ପୁନର୍ଗଠନ କରିବା ଏବଂ ଯୋଜନାବଦ୍ଧ ସହରୀ ବିକାଶକୁ ତ୍ବରିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ଯୋଜନା ରାସ୍ତା, ଜଳଯୋଗାଣ, ସ୍ବେରେଜ୍‌ ବ୍ୟବସ୍ଥା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ଅତ୍ୟାବଶ୍ୟକ ସହରୀ ଭିତ୍ତିଭୂମି ଯୋଗାଇବାକୁ ସହଜ କରିବ। ଏଥିପାଇଁ ୪୧୧୪କୋଟି ଟଙ୍କାର ବଜେଟ୍ ହୋଇଛି। ଏହି ପଦକ୍ଷେପ ଜମି ଏବଂ ସମ୍ପତ୍ତି ପରିଚାଳନାକୁ ଉଲ୍ଲେଖନୀୟ ଭାବେ ଉନ୍ନତ କରିବ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବ।

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖି ଭିଜନ୍ ଡକୁମେଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ସହରାଞ୍ଚଳଗୁଡ଼ିକୁ ବିକାଶ ଓ ଅର୍ଥନୈତିକ କେନ୍ଦ୍ର ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି। କେବଳ ଏତିକି ନୁହେଁ, ଏବେ ରାଜ୍ୟର ୧୭% ସହରାଞ୍ଚଳ ଥିବାବେଳେ ୨୦୩୬ ସୁଦ୍ଧା ୪୦% ଏବଂ ୨୦୪୭ ସୁଦ୍ଧା ୬୦% ସହରାଞ୍ଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ‘ସମୃଦ୍ଧ ସହର’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସହରାଞ୍ଚଳ ବାସିନ୍ଦାଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଇବା ସହ ଯେପରି ଅଧିକ ପୁଞ୍ଜିନିବେଶ ହେବ ସେହିପରି ଭିତ୍ତିଭୂମି ପ୍ରସ୍ତୁତ ହେବ। ଏଥିପାଇଁ ୪୮୭୯.୩୦କୋଟି ଟଙ୍କା ଖର୍ଚ୍ଚ ହେବ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି।

ସେହିପରି ସହରଗୁଡ଼ିକୁ ବିକାଶ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ୭୬୫.୩୦କୋଟି ଟଙ୍କାର ନିବେଶ କରାଯିବ। ଏଥିରେ ସହରାଞ୍ଚଳଗୁଡ଼ିକୁ ଅର୍ଥନୈତିକ ପରିବର୍ତ୍ତନର କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଏକୀକୃତ ଅର୍ଥନୈତିକ କ୍ଲଷ୍ଟର, ଶିଳ୍ପ ନଗର ଏବଂ ଉଚ୍ଚ ସମ୍ଭାବନା ବିଶିଷ୍ଟ ସହରୀ କରିଡରକୁ ସମର୍ଥନ କରିବ। ଏହାସହ ଆଞ୍ଚଳିକ ଗତିଶୀଳତାକୁ ଉନ୍ନତ କରାଯିବ, ସହରୀ ଯୋଜନା ଅନୁଷ୍ଠାନଗୁଡ଼ିକୁ ମଜଭୁତ କରାଯିବ ଏବଂ ମାଷ୍ଟର ପ୍ଲାନ ଓ ସମଗ୍ର ବିକାଶ ଯୋଜନା (ସିଡିପି)କୁ ଆଇନଗତ ଭାବେ ଲାଗୁ କରି କେନ୍ଦ୍ର ଓ ରାଜ୍ୟ ଯୋଜନାଗୁଡ଼ିକ ସହ ତାଳମେଳ ରଖିବାକୁ ପ୍ରାଥମିକତା ଦିଆଯିବ। ସେହିପରି ଜରୁରିକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ଡାଏଲ୍-୧୧୨) ଯୋଜନାକୁ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ବର୍ଷ ପାଇଁ ସମ୍ପ୍ରସାରଣ କରାଯାଇଛି। ଏଥି‌ପାଇଁ ୨୨୬୦-୮୯କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଜାତୀୟ ଜରୁରିକାଳୀନ ପ୍ରତିକ୍ରିୟା ପ୍ଲାଟ୍‌ଫର୍ମ ପୁଲିସ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଭଳି ସେବାଗୁଡ଼ିକୁ ଏକୀକୃତ କରିବ। ଏହି ଯୋଜନାରେ ୪୧୯୫ଟି ପଦବି ସୃଷ୍ଟି କରାଯିବ ଏବଂ ୬୪୫ଟି ଜରୁରିକାଳୀନ ପ୍ରତିକ୍ରିୟା ଯାନ ଯୋଗାଇ ଦେବାର ପ୍ରସ୍ତାବ ରହିଛି। ଏହା ସହ ରାଜ୍ୟ ଜରୁରିକାଳୀନ ସେବା ସଞ୍ଚାଳନ କେନ୍ଦ୍ର ଏବଂ ବିକଳ୍ପ ଜରୁରିକାଳୀନ ସେବା ସଞ୍ଚାଳନ କେନ୍ଦ୍ର ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣକୁ ଅନୁମୋଦନ କରାଯାଇଛି।

କୁଳପତି ନିଯୁକ୍ତି କ୍ଷେତ୍ରରେ କୁଳାଧିପତି ତଥା ରାଜ୍ୟପାଳଙ୍କ କ୍ଷମତାକୁ ବୃଦ୍ଧି କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ, ୧୯୮୯ରେ କୁଳପତିମାନଙ୍କ ନିଯୁକ୍ତି କ୍ଷେତ୍ରରେ କୁଳାଧିପତିଙ୍କ କ୍ଷମତା ପରିସର ବୃଦ୍ଧି କରିବାକୁ ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୫ ପ୍ରଣୟନ ହୋଇଛି। ଏବେ ଅଧିକାଂଶ ବିଶ୍ବବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଆଉ କିଛି କୁଳପତିଙ୍କ କାର୍ଯ୍ୟାକାଳ ଶେଷ ହେବାକୁ ଯାଉଛି। ନିୟମିତ କୁଳପତି ଚୟନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରଚଳିତ ଆଇନ ଅନୁଯାୟୀ ‌ଯେକୌଣସି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଅନ୍ୟ ଏକ କିମ୍ବା ଏକାଧିକ ବିଶ୍ବବିଦ୍ୟାଳୟରେ ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ମିଳିଛି। ଯେଉଁଥିପାଇଁ ଶୈକ୍ଷିକ ଓ ପ୍ରଶାସନିକ ପରିଚାଳନାରେ ଅସୁବିଧା ହେଉଥିବା ନଜରକୁ ଆସିଛି। ତାହାକୁ ଦୃଷ୍ଟି‌ରେ ରଖି ଧାରା ୬(୧୦)ର ସର୍ତ୍ତରେ ସଂଶୋଧନ ଅଣାଯାଇଛି। ନିୟମିତ କୁଳପତି ନିଯୁକ୍ତି ହେବା ପର୍ଯ୍ୟନ୍ତ କୁଳାଧିପତି ଯାହାଙ୍କୁ ଚାହିବେ କୁଳପତି ଭାବେ ଏହି ପଦବିରେ ରଖିପାରିବେ, ଯାହାକି ବିଶ୍ବବିଦ୍ୟାଳୟ ପରିଚାଳନାରେ ସ୍ଥିରତାକୁ ପ୍ରୋତ୍ସାହିତ କରିବ। ଏଥିସହ କୁଳାଧିପତି କୁଳପତିଙ୍କ କାର୍ଯ୍ୟକାଳର ସମୟ ସୀମା ସ୍ଥିର କରିପାରିବେ। ଏଥିସହ ଧାରା ୬(୩)(ଆଇଆଇଆଇ) ଓ ଧାରା ୧୩-ଏ(୩)ରେ ଥିବା ଦୁଇଟି ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରାଯାଇଛି।

ମୟୂରଭଞ୍ଜ ପୁଲିସ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯିବ। ରାଇରଙ୍ଗପୁରକୁ ଏକ ନୂଆ ପୁଲିସ ଜିଲ୍ଲା ଭାବେ ଗଠନ କରାଯାଇ ରାଇରଙ୍ଗପୁରରେ ତାହାର ମୁଖ୍ୟାଳୟ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ଏହି ନିଷ୍ପତ୍ତି ଦ୍ବାରା ଉଭୟ ପୁଲିସ ଜିଲ୍ଲାରେ ପ୍ରଭାବୀ ପୁଲିସ ସେବା ମିଳିପାରିବ ବୋଲି ସରକାର ଆଶା ରଖିଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ଦୁଇଟି ସବ୍‌ଡିଭିଜନ୍(ରାଇରଙ୍ଗପୁର ଓ କରଞ୍ଜିଆ), ୧୪ଟି ଥାନା, ୫ଟି ଆଉଟ୍‌ପୋଷ୍ଟ ଓ ୨ଟି ବିଟ୍‌ ହାଉସ୍‌ ରହିବ। ଥାନାଗୁଡ଼ିକ ହେଲା ରାଇରଙ୍ଗପୁର, ରାଇରଙ୍ଗପୁର ଟାଉନ୍, ବାଦାମପାହାଡ଼, ଗୋରୁମହିଷାଣି, ବିଶୋଇ, ତିରିଙ୍ଗ, ବହଳଦା, ଜାମଦା, କରଞ୍ଜିଆ, ଠାକୁରମୁଣ୍ଡା, ମହୁଲଡିହା, ରରୁଆଁ, ଘାଗରବେଡ଼ା ଓ ଯଶିପୁର।