୨୦୨୬-୨୭ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍
ଉପସ୍ଥାପନ ହେଲା ବଜେଟ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ପ୍ରାୟ ୩.୧୦ ଲକ୍ଷ କୋଟି ଟଙ୍କାର ଏକ ରେକର୍ଡ ବଜେଟ୍ ଆଗତ କରିଛନ୍ତି । ଏହା ଓଡ଼ିଶାର ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବଜେଟ୍ ମଧ୍ୟରୁ ଅନ୍ୟତମ । ଏହି ବଜେଟରେ ମୁଖ୍ୟତଃ ଭିତ୍ତିଭୂମି ସମ୍ପ୍ରସାରଣ, ନିଯୁକ୍ତି ସୁଯୋଗ ଏବଂ ଜନକଲ୍ୟାଣକାରୀ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।ବଜେଟରେ କୃଷି, ଜଳସେଚନ, ମହିଳା ସଶକ୍ତିକରଣ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଶିଳ୍ପାୟନ ଏବଂ ଆଞ୍ଚଳିକ ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସହ ପୁଞ୍ଜିଗତ ବ୍ୟୟ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି । ଗ୍ରାମ୍ୟ ଉନ୍ନୟନ, MSME , ପର୍ଯ୍ୟଟନ ଏବଂ ସବୁଜ ଶକ୍ତି ପାଇଁ ବଡ଼ ଧରଣର ଅର୍ଥ ବ୍ୟବସ୍ଥା କରାଯାଇଛି । ସରକାରଙ୍କ କହିବା ଅନୁଯାୟୀ, ଆର୍ଥିକ ସନ୍ତୁଳନ ରକ୍ଷା କରି ସମାଜର ସବୁ ବର୍ଗର ଉନ୍ନତି ଏବଂ ସୁରକ୍ଷା ନିଶ୍ଚିତ କରିବା ଏହି ବଜେଟର ଉଦ୍ଦେଶ୍ୟ ।ବଜେଟରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ : ବଜେଟରେ କେଉଁ ବିଭାଗ ପାଇଁ କେତେ ବ୍ୟୟବରାଦ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ସର୍ବାଧିକ ୩୪,୦୦୪ କୋଟି ବ୍ୟୟବରାଦ ହୋଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି, ସ୍ବାସ୍ଥ୍ୟ ବିଭାଗ ପାଇଁ ୨୩,୧୮୨ କୋଟି ଓ ଜଳସମ୍ପଦ ବିଭାଗ ପାଇଁ ୧୬,୪୮୮ କୋଟି କରାଯାଇଛି ବ୍ୟୟବରାଦ ।କୃଷି- ୧୪,୭୦୧ କୋଟି, ପୂର୍ତ୍ତ ବିଭାଗ ପାଇଁ ୧୩,୪୫୧ କୋଟି,ଗୃହ ବିଭାଗ ପାଇଁ୧୧,୦୨୮ କୋଟି, ନଗର ଉନ୍ନୟନ- ୧୦,୭୨୬ କୋଟି, ଗ୍ରାମ୍ୟ ଉନ୍ନୟନ- ୧୦,୨୦୪ କୋଟି ଟଙ୍କା ଆବଣ୍ଟନ ହୋଇଛି । ପରିବହନ – ୪,୦୭୯ କୋଟି, ଜଙ୍ଗଲ ଓ ପରିବେଶ- ୧,୯୧୬ କୋଟି, ଉଚ୍ଚଶିକ୍ଷା- ୩,୬୬୪ କୋଟି, ଦକ୍ଷତା ବିକାଶ-୧,୮୨୩ କୋଟି ବ୍ୟୟବରାଦ ହୋଇଛି ।
