ରାତିରେ ଶୋଇବାକୁ ଦିଆଯାଉନଥିଲା

ପାକିସ୍ତାନ ମାଟିରେ ୨୧ ଦିନର କାହାଣୀ ବଖାଣିଲେ ଯବାନ

ପାକିସ୍ତାନ ମାଟିରେ ୨୧ ଦିନର କାହାଣୀ ବଖାଣିଛନ୍ତି ଯବାନ । କେମିତି ପାକିସ୍ତାନରେ ତାଙ୍କୁ ଦିଆଯାଉଥିଲା ମାନସିକ ନିର୍ଯାତନା । ପାକିସ୍ତାନରୁ ଭାରତକୁ ଫେରିବା ପରେ ସବୁ କଥା ତାଙ୍କ ପତ୍ନୀଙ୍କୁ କହିଛନ୍ତି । ବିଏସଏଫ୍ ଯବାନ ପୂର୍ଣ୍ଣମ କୁମାର ଶ କହିଛନ୍ତି, ରାତିରେ ତାଙ୍କୁ ଶୋଇବାକୁ ଦିଆଯାଉନଥିଲା । ଜଣେ ବିଏସ୍ଏଫ୍ ଯବାନ ନୁହେଁ ଜଣେ ଗୁପ୍ତଚର ଭାବି ତାଙ୍କୁ କରାଯାଉଥିଲା ପଚରାଉଚରା । ଅନ୍ତର୍ଜାତୀୟ ସୀମାରେ ବିଏସଏଫ୍ କର୍ମଚାରୀ ଓ ଅଫିସରଙ୍କ ମୁତୟନ ନେଇ ଗୁଡେଇ ତୁଡେଇ ସବୁ ରାତିରେ ପଚାରୁଥିଲେ ପାକିସ୍ତାନୀ ସେନା କର୍ମଚାରୀ । ଗତ ଏପ୍ରିଲ ୨୩ ତାରିଖରେ ପୂର୍ଣ୍ଣମ ଭୁଲବଶତଃ ପାକିସ୍ତାନ ସୀମା ଭିତରକୁ ଚାଲିଯାଇଥିଲେ । ପହଲଗାମରେ ଆତଙ୍କବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡର ଠିକ୍ ଦିନକ ପରେ ସେ ପଞ୍ଜାବର ଫିରୋଜପୁର ସେକ୍ଟରରେ ଡ୍ୟୁଟି କରୁଥିବା ବେଳେ ଆରପଟକୁ ଚାଲିଯାଇଥିଲେ । ତାଙ୍କୁ ନେଇ ଅଟକ ରଖିଥିଲେ ପାକିସ୍ତାନୀ ସେନା କର୍ମଚାରୀ।

ସେମାନେ ପୂର୍ଣ୍ଣମଙ୍କୁ ବାଡିଆପିଟା କରିନାହାନ୍ତି କିନ୍ତୁ ମାନସିକ ଚାପରେ ରଖିଥିଲେ । ୨୧ ଦିନ ଭିତରେ ତାଙ୍କୁ ୩ଟି ସ୍ଥାନରେ ରଖାଯାଇଥିଲା । ଗୋଟିଏ ଏୟାରବେସ୍ ନିକଟରେ ମଧ୍ୟ ତାଙ୍କୁ ନେଇ ରଖିଥିଲେ । ସେଠାରେ ବିମାନର ଶବ୍ଦ ଶୁଭୁଥିଲା ।ପାକିସ୍ତାନରେ ତାଙ୍କୁ ଖାଇବାକୁ ଦେଉଥିଲେ ମଧ୍ୟ ତାଙ୍କୁ ଦାନ୍ତ ଘଷିବାକୁ ଦିଆଯାଇନଥିଲା । ଦାନ୍ତ ନଘଷି ସେଇମିତି ଖାଅ ବୋଲି କହୁଥିଲେ ପାକ୍ କର୍ମଚାରୀ । ଏହି ସମୟ ମଧ୍ୟରେ ତାଙ୍କ ପରିବାର ଦୁଶ୍ଚିନ୍ତାରେ ଥିଲେ । ଗତ ବୁଧବାର ଦିନ ସେ ଅଟ୍ଟାରୀ-ୱାଘା ବର୍ଡର ଦେଇ ଭାରତ ଫେରିଛନ୍ତି । ୨୧ ଦିନ ପାକିସ୍ତାନରେ ଅଟକ ରହିବା ପରେ ମୁକ୍ତ ହୋଇ ଫେରିଛନ୍ତି ବିଏସଏଫ୍ ଯବାନ । ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।