ସରିଲା ବିଧାନସଭାର ଶେଷ ଅଧିବେଶନ, ଏକାଠି ଫଟୋ ଉଠାଇଲେ ଶାସକ-ବିରୋଧୀ
ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭା ଶେଷ ହେବା ପରେ ଗୋଟିଏ ଫ୍ରେମରେ ଉଭୟ ଶାସକ-ବିରୋଧୀଙ୍କୁ ଦେଖିବାକୁ ମିଳିଛି । ଶାସକ-ବିରୋଧୀ ଏକାଠି ହୋଇ ଫଟୋସୁଟ୍ କରିଛନ୍ତି ଏବଂ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍ ସମୟରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ସେହିଭଳି ୨୦୨୪ ନିର୍ବାଚନରେ ଅନେକ ବିଧାୟକ ଟିକେଟରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ଭାବବିହ୍ୱଳ ହୋଇଛନ୍ତି ବିଧାୟକ ।