ଅସ୍ତ୍ରବିରତି ଘୋଷଣା କରିବାର ମାତ୍ର ୩ ଘଣ୍ଟାରେ ପାକିସ୍ତାନ ସେନାର ଆକ୍ରମଣ

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ

ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିବାର ମାତ୍ର ୩ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ପାକ୍‌ ସେନା ଏହାର ଘୋର ଉଲ୍ଲଂଘନ କରି ଜଟିଳ ସ୍ଥିତି ସୃଷ୍ଟି କରିଛି। ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ଭାରତ କଡ଼ା ସମାଲୋଚନା କରିଛି ଏବଂ ଅସ୍ତ୍ରବିରତି ବୁଝାମଣାର ଏଭଳି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ବିଦେଶ ସଚିବ ବିକ୍ରମ ମିସ୍ରି ଚେତାଇ ଦେଇଛନ୍ତି। ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣ ଓ ଉଲ୍ଲଂଘନର କଡ଼ା ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି। ଯୁଦ୍ଧ ଉତ୍ତେଜନା ହ୍ରାସ ଦିଗରେ ହୋଇଥିବା ମିଳିତ ପ୍ରୟାସକୁ ପାକିସ୍ତାନର ପଦକ୍ଷେପ ଭଣ୍ଡୁର କରିଥିବାରୁ ଭାରତ  ଏହାକୁ ଗମ୍ଭୀରତାର ସହ ନେଇଛି।  ସୁରକ୍ଷାକୁ ନେଇ କୌଣସି ସାଲିସ ହେବନାହିଁ ଏବଂ ଅସ୍ତ୍ରବିରତି ଉଲ୍ଲଂଘନର ଅତି କଠୋର ଜବାବ ମିଳିବ ବୋଲି ମିସ୍ରି ସ୍ପଷ୍ଟ କରିଛନ୍ତି। ପାକ୍‌ ସେନା ଟାର୍ଗେଟ୍‌ କରୁଥିବା ସୀମାବର୍ତ୍ତୀ ରାଜ୍ୟଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ଡ୍ରୋନ୍‌ ଆକ୍ରମଣ ହୋଇଛି। ପାକିସ୍ତାନ ଅନ୍ତର୍ଜାତୀୟ ସୀମା‌ ଏବଂ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଗୋଳା ବର୍ଷା ଜାରି ରଖିଛି।   ଏହା ପରେ ସରକାର ବିଏସ୍‌ଏଫ୍‌ (ସୀମା ସୁରକ୍ଷା ବାହିନୀ)କୁ ପୂର୍ଣ୍ଣ କ୍ଷମତାର ସହ ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅସ୍ତ୍ରବିରତି ଉଲ୍ଲଂଘନର ମାତ୍ର କିଛି ଘଣ୍ଟା ମଧ୍ୟରେ ଶ୍ରୀନଗରରେ ପାକିସ୍ତାନ ଡ୍ରୋନ୍‌ ଆକ୍ରମଣ ଉଦ୍ୟମ କରିଥିଲା। ତେବେ ପାକିସ୍ତାନୀ ଡ୍ରୋନ୍‌କୁ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଖସାଇ ଦେଇଛି। ଶ୍ରୀନଗରରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ସେହିପରି କାଶ୍ମୀରର ବାରମୂଳା ଏବଂ ରାଜସ୍ଥାନର ପୋଖରାନରେ ମଧ୍ୟ ପାକିସ୍ତାନ ଡ୍ରୋନ୍‌ ଆକ୍ରମଣ ଉଦ୍ୟମ କରିଥିବାବେଳେ ଭାରତ ଏହାକୁ ପଣ୍ଡ କରିଛି। ପାକିସ୍ତାନ ସେନା ଅଖନୁର, ରାଜୌରୀ ଏବଂ ଆର୍‌ଏସ୍‌ ପୁରା ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ପ୍ରବଳ ଗୋଳାମାଡ଼ କରିଛି। ବୈଷ୍ଣୋଦେବୀ ମନ୍ଦିର ଉପରେ ଆକ୍ରମଣ ଆଶଙ୍କା ଥିବାରୁ  ଜମ୍ମୁର କଟରାରେ ବ୍ଲାକ୍‌ଆଉଟ୍‌ ଘୋଷିତ ହୋଇଛି।