ଭେଟେରାନ ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ
ଭେଟେରାନ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ହୋଇଛି । ୮୭ ବର୍ଷ ବୟସରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମନୋଜ କୁମାର ନିଜର ଦେଶାତ୍ମକ ଫିଲ୍ମଗୁଡିକ ପାଇଁ ବେଶ୍ ଲୋକପ୍ରିୟ ରହିଥିଲେ । ତାଙ୍କୁ ଶ୍ରଦ୍ଧାରେ ‘ଭାରତ କୁମାର’ ବୋଲି ଡକାଯାଉଥିଲା । ସେ ‘କ୍ରାନ୍ତି’, ‘ଉପକାର’, ‘ମୈଦାନୀ ଜଙ୍ଗ’ ଇତ୍ୟାଦି ଅନେକ ଦେଶାତ୍ମକବୋଧ ଫିଲ୍ମରେ ଅଭିନୟ କରି ବିପୁଳ ଲୋକପ୍ରିୟତା ସାଉଁଟିଥିଲେ ।

ଭାରତୀୟ ସିନେମା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୨ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ‘ରୋଟି କପଡା ଅର୍ ମକାନ୍’, ‘ଆଦମୀ’, ‘ଉପକାର୍’, ‘ବେଇମାନ’, ‘ମେରା ନାମ ଜୋକର୍’, ‘ଅମାନତ୍’, ‘କ୍ରାନ୍ତି’, ‘ଦଶନମ୍ବରୀ’, ‘ମୈଦାନୀ ଜଙ୍ଗ’, ‘ପଥର କେ ସନମ୍’, ‘ସାୱନ୍ କି ଘଟା’, ‘ୟାଦ୍ ଗାର୍’, ‘ୱ କନ୍ ଥି’ ‘ଆପନେ ହୁଏ ପରାଏ’ ଆଦି ବହୁ ହିଟ୍ ଫିଲ୍ମରେ ସେ ଅଭିନୟ କରିଛନ୍ତି । ‘ଉପକାର୍’ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ତାଙ୍କ ଅଭିନୀତ ‘ଏକ୍ ପ୍ୟାର୍କା ନଗ୍ମା’, ‘ଚାନ୍ଦ ସି ମେହବୁବା’ ସଙ୍ଗୀତ ଆଜି ବି ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ରହିଛି । ୧୯୩୭ ମସିହା ଜୁଲାଇ ୨୪ରେ ମନୋଜ କୁମାରଙ୍କ ଜନ୍ମ । ତାଙ୍କର ପ୍ରକୃତ ନାଁ ହରିକ୍ରିଷ୍ଣା ଗିରି ଗୋସ୍ୱାମୀ । ୧୯୬୦ରେ ‘କାଞ୍ଚ୍ କି ଗୁଡିଆ’ ଫିଲ୍ମ ଜରିଆରେ ରୋମାଣ୍ଟିକ ହିରୋ ଭାବେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ । ପରବର୍ତ୍ତୀ ସମୟରେ ଅଧିକରୁ ଅଧିକ ଦେଶାତ୍ମକବୋଧ ଫିଲ୍ମରେ ଅଭିୟନ କରି ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ସେ ଅନେକ ଫିଲ୍ମରେ ନିର୍ଦ୍ଦେଶନା ବି ଦେଇଥିଲେ । ୨୦୧୫ରେ ସେ ଦାଦାସାହେବ ଫାଲକେ ସମ୍ମାନ ଲାଭ କରିଥିଲେ । ତାଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ମନୋଜ କୁମାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ମନୋଜଙ୍କ ଦେହାନ୍ତରେ ମୁଁ ଦୁଃଖିତ । ଭାରତୀୟ ସିନେମାର ଆଇକନ, ଦେଶାତ୍ମକ ଚିନ୍ତାଧାରା ପାଇଁ ସେ ପରିଚିତ ଥିଲେ । ତାଙ୍କ କାର୍ଯ୍ୟ ଜାତୀୟ ଭାବନାକୁ ପ୍ରଜ୍ବଳିତ କରିଥିଲା ଏବଂ ସର୍ବଦା ପ୍ରେରଣା ଦେବ । ଏଥିସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ବଲିଉଡ ଅଭିନେତା ମନୋଜ କୁମାରଙ୍କ ପରଲୋକରେ ଗଭୀର ମର୍ମାହତ ବୋଲି ଲେଖି ଶୋକ ପ୍ରକାଶ କରିଛନ୍ତି । ସିନେମାରେ ତାଙ୍କ ଅବଦାନକୁ ଭାରତ କୁମାର ଭାବେ ତାଙ୍କର ପ୍ରଶଂସକମାନେ ସ୍ମରଣ କରିବେ । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି ।
