ପରିଚୟ ପାଇଲାନି ୨୮ ମୃତଦେହ

ହଜିଗଲା ମାନବିକତା, ୨୮ଟି ଶବକୁ ପଚାରିଲେନି ପରିବାର ଲୋକେ

ହଜିଗଲା ମାନବିକତା । ମୃତ ଶରୀରକୁ ନେବା ପାଇଁ ଆସିଲେନି କେହି । ଶେଷରେ ପ୍ରଶାସନ କରିବ ଅନ୍ତିମ ସଂସ୍କାର । ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଜୁନ୍ ୨ ତାରିଖରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆହୁରି ୨୮ଟି ମୃତଦେହ ଚିହ୍ନଟ ହୋଇନପାରି ଭୁବନେଶ୍ୱର ଏମ୍‌ସରେ ଥିବା ବେଳେ ସେଗୁଡ଼ିକର ଅନ୍ତିମ ସଂସ୍କାର ପାଇଁ ନିଷ୍ପତ୍ତି ହୋଇଛି ଓ ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସେଗୁଡ଼ିକର ଅନ୍ତିମ ସଂସ୍କାର କରାଯିବ । DNA ଟେଷ୍ଟ ପରେ ମଧ୍ୟ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ୱର AIIMSରେ ରଖାଯାଇଥିବା ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ ଅଗଷ୍ଟ ୨୫ ତାରିଖରେ ସିବିଆଇ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଥିଲା । ଏହାପରେ ଶନିବାର ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପରେ ଅଚିହ୍ନା ମୃତ ଶରୀରଗୁଡ଼ିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି । ଅଚିହ୍ନା ମୃତଦେହଗୁଡ଼ିକର ସଂସ୍କାର ପାଇଁ ଏସ୍‌ଓପି ଜାରି କରିଛି ବିଏମ୍‌ସି । ଏସ୍‌ଓପି ଅନୁସାରେ, AIIMS ଭୁବନେଶ୍ଵରରୁ ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାର ଯାଏଁ ସବୁକିଛିର ଭିଡିଓଗ୍ରାଫି ହେବ ।