‘ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି’

‘୨୧ରୁ ୨୧ ଆସନରେ ଜିତିବ ବିଜେପି’

ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି । ପୂର୍ବରୁ ପଚାରୁଥିଲୁ କେତେ ଆସନରେ ଜିତିବୁ, ଲୋକ ୭ରୁ ୮ ଆସନ ବୋଲି କହୁଥିଲେ । କିନ୍ତୁ ଏବେ ବିଜେପି କେତେ ଆସନରେ ଜିତିବ ବୋଲି ପଚାରିଲେ ଲୋକେ କହୁଛନ୍ତି ୨୧ରୁ ୨୧ ଆସନରେ ଜିତିବ ବିଜେପି ।  ବିଜେପି ସାଂସଦଙ୍କୁ ନିର୍ବାଚିତ କରି ପଠାନ୍ତୁ, ଉଚିତ୍ ଢଙ୍ଗରେ ସେ କାମ କରିବେ । ଯେଉଁ ମାହୋଲ ଏଠାରେ ଦେଖୁଛି ଲାଗୁଛି ଏଥର ବିଶେଷ ନିବେଦନ କରିବାକୁ ପଡିବନି । ବିଜେପି ପ୍ରାର୍ଥୀ ବହୁତ ଭୋଟରେ ବିଜୟୀ ହେବ ।

ଆମେ ଧାରା ୩୭୦ ହଟାଇବାକୁ କହିଥିଲୁ, ତାହାକୁ ପୂରା କଲୁ । ରାମ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲୁ, ତାହାକୁ ପୂରା କରି ଦେଖାଇଲୁ । ଆଗକୁ ଭାରତରେ ରାମରାଜ୍ୟ ବିଜେପି ଆଣିବ । ତିନି ତଲାକ ଶେଷ କରିଛି ବିଜେପି । କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବ, କିନ୍ତୁ ଦୁର୍ନୀତି କମିବା ବଦଳରେ ବଢି ଚାଲିଲା ।ଭାରତ ଏବେ ବିଶ୍ୱରେ ମହାଶକ୍ତି ଭାବେ ଉଭା ହୋଇଛି । କଂଗ୍ରେସ ସରକାର ସମୟରେ ଭାରତକୁ ଦୁର୍ବଳ ଭାବୁଥିଲା ପୂରା ବିଶ୍ୱ । କିନ୍ତୁ ଏବେ ଭାରତ ଯାହା କହୁଛି ତାହା ବିଶ୍ୱ ଶୁଣୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ବଳରେ କରୋନା କାଳରେ କୋଟି କୋଟି ଟୀକା ପ୍ରସ୍ତୁତ କରି ଦେଶବାସୀଙ୍କ ଜୀବନ ବଞ୍ଚାଇଛନ୍ତି ଦେଶର ବୈଜ୍ଞାନିକ । ଏବେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ୫ମ ଅର୍ଥନୀତି ବ୍ୟବସ୍ଥା ପାଲଟିଛି । ଆଗକୁ ବିଶ୍ୱର ୩ୟ ଅର୍ଥନୀତି ପାଲଟିବ ଭାରତ । ୧ କୋଟି ମହିଳାଙ୍କୁ ଆମେ ଲକ୍ଷପତି କରିଛୁ, ଆଗାମୀ ୫ ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି କରିବୁ । କଂଗ୍ରେସ ସର୍ବାଧିକ ଥର ସମ୍ବିଧାନ ସଂଶୋଧନ କରିଛି । ସମ୍ବିଧାନର ଆତ୍ମାକୁ ବଦଳାଇଛି କଂଗ୍ରେସ । କିନ୍ତୁ ଏବେ କହୁଛି ବିଜେପି ସମ୍ବିଧାନ ବଦଳାଇବାକୁ ଚାହୁଁଛି । ବିଜେପି ଏବେ ବିଶ୍ୱର ସବୁଠୁ ବଡ ଦଳ ଭାବେ ଉଭା ହୋଇଛି ।