‘୧୫ ଲୋକସଭା, ୭୫ ବିଧାନସଭା ଜିତିବୁ’
ବିଜେପି ଫୋକସ୍ରେ ଓଡ଼ିଶା। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ରାଉରକେଲାରେ ପହଞ୍ଚିବା ପରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଶାହ । ସେ କହିଛନ୍ତି ‘ପ୍ରଥମ ୪ ପର୍ୟ୍ୟାୟରେ ମୋଦିଜୀ ୨୭୦ ସିଟ୍ ଟପିଗଲେଣି। ଏଥର ମୋଦିଜୀ ୪ ଶହ ପାର୍ କରିଯିବା ସ୍ପଷ୍ଟ ଜଣାପଡ଼ିଲାଣି। କେନ୍ଦ୍ର ସହ ଓଡ଼ିଶାରେ ବି ବିଜେପି ସରକାର ଗଠନ ହେବ। ଓଡ଼ିଶାରେ ଡବଲ ପରିବର୍ତ୍ତନ ହେବା ନିଶ୍ଚିତ ହେଲାଣି । ଓଡ଼ିଶାରେ ବିଜେପି ୧୫ରୁ ଅଧିକ ଲୋକସଭା ଓ ୭୫ରୁ ଅଧିକ ବିଧାନସଭା ଜିତିବ। ଓଡ଼ିଶାରେ ନବୀନ ବାବୁଙ୍କୁ ହଟାଇ ବିକାଶର ଇଂଜିନ ଗଡ଼ିବ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି ଶାହ ।
ସେହିପରି ଓଡ଼ିଶାର ଶାସନ ବ୍ୟବସ୍ଥା ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ଥରେ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି, ଓଡ଼ିଶାକୁ ନକ୍ସଲବାଦରୁ ମୁକ୍ତି କରିବା କାମ ମୋଦି କରିଛନ୍ତି। କଂଗ୍ରେସ ଏଯାଏ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି କରିନି । କିନ୍ତୁ ବିଜେପି ଓଡ଼ିଶାର ଜଣେ ଆଦିବାସୀ ଝିଅଙ୍କୁ ରାଷ୍ଟ୍ରପତି କରିଛି । ସେହିପରି ଚଳିତ ନିର୍ବାଚନ ଓଡ଼ିଶାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଗୌରବକୁ ପୁନଃ ପ୍ରତିଷ୍ଠା କରିବ। ଓଡ଼ିଶାର ଶାସନ କେଉଁଥିରେ ଓଡ଼ିଆରେ ନା ତାମିଲରେ ଚାଲିବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଶାହ । ସେହିପରି ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ଶାହ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ସବୁ ଦ୍ୱାର ଖୋଲା ଯାଉନାହିଁ। ପରିକ୍ରମା ନାଁରେ ଏହାକୁ ପର୍ୟ୍ୟଟନ କ୍ଷେତ୍ର କରାଯାଉଛି । ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିକୁ ଅପମାନିତ କରାଯାଉଛି। ରତ୍ନଭଣ୍ଡାର ଅସଲି ଚାବି କୁଆଡ଼େ ଗଲା ନବୀନ ବାବୁ କୁହନ୍ତୁ । ତଦନ୍ତ କମିଶନ ରିପୋର୍ଟ କାହିଁକି ଚପା ଯାଇଛି ? ବିଜେପି ସରକାର ଆସିଲେ ମାସକରେ ରିପୋର୍ଟ ସାର୍ବଜନୀନ ହେବ ବୋଲି ଶାହ କହିଛନ୍ତି ।