ବିଜେପି ଫୋକସରେ ଓଡ଼ିଶା

୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ନେଇ ରଣନୀତି କରିବ ବିଜେପି

ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନକୁ ଆଉ ୬ ମାସ ବାକି ଥିବାବେଳେ କିଭଳି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିବ ସେନେଇ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ବିଜେପି ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶାରେ ୫୧ ପ୍ରତିଶତ ଭୋଟ୍ ଟାର୍ଗେଟ୍ ଉପରେ ଫୋକସ୍ କରିଛନ୍ତି । ଏହାକୁ ନେଇ ଆଗାମୀ ଦିନରେ ଅନେକ ଜାତୀୟ ବିଜେପି ନେତା ଓଡିଶା ଆସିବେ ବୋଲି ନିଷ୍ପତି ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିପୁଳ ବିଜୟ ପରେ ବିଜେପିରେ ଉତ୍ସାହ । ଏହି ଉତ୍ସାହକୁ ଓଡ଼ିଶାରେ ବିନିଯୋଗ କରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । କେନ୍ଦ୍ରୀୟ ବିଜେପିର ଫୋକସରେ ଓଡ଼ିଶା । ରାଜ୍ୟରୁ ଅଧିକରୁ ଅଧିକ ଲୋକସଭା ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି କେନ୍ଦ୍ର ବିଜେପି । ଏଥିପାଇଁ ଓଡ଼ିଶାକୁ ଅଧିକ ଗରୁତ୍ୱ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ସାରି ଫେରିବା ପରେ ବିଜେପି ରାଜ୍ୟ ସଭାପତି କହିଛନ୍ତି, ଓଡ଼ିଶାରେ ୫୧% ଭୋଟ୍ ଆମର ଟାର୍ଗେଟ୍ । ଏଥିପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି ଏବଂ କାର୍ଯ୍ୟକାରୀ କରିବାକୁ ଦଳୀୟ ନେତା ଅଣ୍ଟା ଭିଡ଼ିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ଥିଲା ୩୮.୪% । ୮ଟି ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି ବିଧାନସଭା ନିର୍ବାଚନରେ ୩୨.୪୯% ଭୋଟ୍ ପାଇଥିଲା ଦଳ । ୨୦୧୪ ରେ ମାତ୍ର ଗୋଟିଏ ସାଂସଦ ସିଟ୍ ପାଇଥିବା ବିଜେପିର ଭୋଟ ପ୍ରତିଶତ ୨୦୧୯ ରେ ୧୬.୯%କୁ ବୃଦ୍ଧି ପାଇଥିଲା । ବିଧାନସଭା ନିର୍ବାଚନରେ ମଧ୍ୟ ୨୦୧୪ ତୁଳନାରେ ୧୪.୫% ଅଧିକ ଭୋଟ ପାଇଥିଲା ବିଜେପି । ଆଉ ଏବେ ୨୦୨୪ ଦଳର ଟାର୍ଗେଟ୍ ଅଛି ୫୧% ଭୋଟ୍ । ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ବୁଥ୍ ପରିଚାଳନା ଏବଂ ବହୁ ବ୍ୟବଧାନରେ ବିଜୟ ନେଇ ମନ୍ତ୍ର ଦେଇଛନ୍ତି ବିଜେପିର ଚାଣକ୍ୟ ଅମିତ ଶାହ । ଲୋକସଭା ସିଟରେ ୨୦୧୯ ତୁଳନାରେ ଭୋଟ ସେୟାର ୧୦ ପ୍ରତିଶତ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ ।