ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍

‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ନାଁରେ ଚାର୍ଜସିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ।୨୫ ବର୍ଷ କାଳ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି। ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ ଆସିଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି। । ଚାର୍ଜସିଟ୍ ଲୋକାର୍ପଣ କରି ଏକ ବଡ଼ ଖୁଲାସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ସେ କହିଛନ୍ତି, ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତାରେ ବିଜୁଳି ଦିଆଯାଉଛି। ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି। କିନ୍ତୁ ସେହି ବିଜୁଳି ତାମିଲନାଡୁକୁ ଶସ୍ତାରେ ଯୋଗାଇ ଦିଆଯାଉଛି। ତାମିଲନାଡୁ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ୨.୫୩ ଦେଉଛି। କାହିଁକି ତାମିଲନାଡୁକୁ ଶସ୍ତାରେ ବିଜୁଳି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଭୂପେନ୍ଦ୍ର ଯାଦବ।ଏଥିସହ ସେ କହିଛନ୍ତି, ଗତ ୨୫ ବର୍ଷରେ ବିଜେଡିର ଶାସନ କାଳରେ ବିଭିନ୍ନ କ୍ଷେତ୍ରରେ ତଳମୁହାଁ ଗ୍ରାଫ ଦେଖିବାକୁ ମିଳୁଛି। ରାଜ୍ୟ ସରକାର କହିଥିଲେ, ୩୫% ଜମିକୁ ଜଳସେଚିତ କରାଯିବ। କିନ୍ତୁ ୨୫ ବର୍ଷ ପରେ ବି ସରକାର ଏହି ଲକ୍ଷ୍ୟକୁ ପୂରଣ କରି ପାରି ନାହାନ୍ତି। ୩୧୪ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି କହିଥିବା ବେଳେ ଏହାବି କାର୍ଯ୍ୟକାରୀ ହୋଇ ପାରିନି। କୃଷକଙ୍କ ହିତ ନିମନ୍ତେ ରାଜ୍ୟ ସରକାର କାଳିଆ ସ୍କିମ ଆଣିଥିଲା। ମାତ୍ର ସେଥିରେ ହିତାଧିକାରୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଦେଶରେ ଯେଉଁଠି ଚାଷୀଙ୍କ ରୋଜଗାର ବଢ଼ୁଛି, ଓଡ଼ିଶାର ନମ୍ବର ପଛରେ ରହୁଛି।