କ୍ୟାବିନେଟରେ ୩ ପ୍ରସ୍ତାବ ଉପରେ ବାଜିଲା ମୋହର

ବନ୍ଦର, ଅଗ୍ନିବୀର ଓ ଅବିବାହିତ ଝିଅଙ୍କ ଚାକିରି ଉପରେ ମୋହର

କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ୩ ପ୍ରସ୍ତାବ ଉପରେ ବାଜିଲା ମୋହର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ୟାବିନେଟ୍‌ ବୈଠକରେ ଅଗ୍ନିବୀରଙ୍କୁ ନେଇ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସ୍‌ରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଥିବା ବେଳେ ଗୋଟିଏ ବର୍ଷ ଟ୍ରେନିଂ ଏବଂ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ସେହିପରି ଓଡ଼ିଶା ବେସାମରିକ ସେବା(ପୁନର୍ବାସ ସହାୟତା) ନିୟମାବଳୀ-୨୦୨୦ର ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଫଳରେ ସରକାରୀ କର୍ମଚାରୀ(ପିତାମାତା)ଙ୍କ ଉପରେ ନିର୍ଭରଶୀଳ ଥିବା ବିବାହିତା ଝିଅ ଓ ବିବାହିତା ସାବତ ଝିଅମାନଙ୍କୁ(ବିବାହ ସ୍ଥିତି ନିର୍ବିଶେଷରେ) ମଧ୍ୟ ଅବିବାହିତା ଝିଅ ଓ ଅବିବାହିତା ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ସହାୟତା ନିଯୁକ୍ତି ପ୍ରଦାନ ପାଇଁ ବିଚାର କରାଯିବ । ଏହି ସଂଶୋଧନ ଦ୍ୱାରା ଏଣିକି ସରକାରୀ କର୍ମଚାରୀ ଥିବା ପିତାମାତାଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭରଶୀଳ ଥିବା ବିବାହିତା ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ମିଳିବାର ମାର୍ଗ ପ୍ରଶସ୍ତ ହୋଇଛି ।

ଏହାବ୍ୟତୀତ ରାଜ୍ୟ କ୍ୟାବିନେଟ ଆଜି ଗୋପାଳପୁର ବନ୍ଦର ମାଲିକାନା ସତ୍ତ୍ୱ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି । ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି ରାଜ୍ୟ କ୍ୟାବିନେଟ୍ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଂଟନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡରୁ ଆଦାନୀ ବନ୍ଦର ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ ଲିମିଟେଡ(ଏସଇଜେଡ)କୁ ଅଂଶଧନ ହସ୍ତାନ୍ତର ଓ ସଂଶୋଧିତ ରିହାତି ଚୁକ୍ତିନାମାକୁ ମଞ୍ଜୁର କରିଛନ୍ତି ।

ଗୋପାଳପୁର ପୋର୍ଟସ୍ ଲିମିଟେଡରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ, ନେବୋଲ ଗ୍ରୁପ୍ ଓ ସାରା ଇଂଟରନ୍ୟାସନାଲର ଯଥାକ୍ରମେ ୩୪,୩୩ ଓ ୩୩ ପ୍ରତିଶତ ଲେଖାଏଁ ଅଂଶଧନ ଥିଲା । ୨୦୧୦ ଓ ୨୦୧୭ ମସିହାରେ ଏହି ବନ୍ଦରର ଅଂଶଧନରେ ପରିବର୍ତ୍ତନ ହୋଇଥିଲା ।

ତେବେ ପରେ ଏହି ଅଂଶଧନରେ ସଂଶୋଧନ ହୋଇଥିଲା । ଏହି ବନ୍ଦରର ବିକାଶ ତଥା ସମ୍ପ୍ରସାରଣ ନିମନ୍ତେ ଗୋପାଳପୁର ପୋର୍ଟସ ଲିମିଟେଡ ଏହାର ୯୫ ପ୍ରତିଶତ ଅଂଶଧନ ଆଦାନୀ ବନ୍ଦର ଓ ଏସଇଜେଡ୍‌କୁ ହସ୍ତାନ୍ତର ନିମନ୍ତେ ରାଜ୍ୟ ସରକାରଙ୍କ ସମ୍ମତି ମାଗିଥିଲେ । ଏହି ଅଂଶଧନରେ ୫୬ପ୍ରତିଶତ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଂଟନାନ୍ସ ଓ ୩୯ ପ୍ରତିଶତ ଓଡ଼ିଶା ଷ୍ଟିଭେଡର୍ସ ଲମିଟେଡର ରହିଥିଲା । ତେବେ ଏହି ଦୁଇ କମ୍ପାନୀର ସମସ୍ତ ଅଂଶଧନକୁ ଆଦାନୀ ବନ୍ଦର ଅଧିଗ୍ରହଣ କରିସାରିଛି ।