ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଲେ ସୁଜିତ୍

‘ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା’

ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ । ଅପ୍ରତ୍ୟାଶିତ ଭାବେ ଆଜି ସୁଜିତ କୁମାର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ଆଉ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଭାରୀ ବିଜୟ ପାଲ୍ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୁଜିତ । ଆଉ ବିଜେପିରେ ଯୋଗ ଦେବାପରେ ବିଜେଡି ଉପରେ ବର୍ଷିଛନ୍ତି ।

ବିଜେପିରେ ମିଶୁ ମିଶୁ ବିସ୍ଫୋରଣ କରିଛନ୍ତି। ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି । ସୁଜିତ କହିଛନ୍ତି, ନିର୍ବାଚନ ପୂର୍ବରୁ ମୋତେ ଧମକ ଦିଆଯାଇଥିଲା । ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ଦେଇଥିଲେ ଧମକ। ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କହିଥିଲେ। କଳାହାଣ୍ଡି ଆସି ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ। ମୋ ମୁହଁରେ କହି ନଥିଲେ, ଦଳୀୟ ନେତାଙ୍କୁ କହିଥିଲେ। ମୋ ସାମ୍ନାରେ ଏକଥା କହିବାର ତାଙ୍କର ସାହସ ନଥିଲା। ନିର୍ବାଚନ ପରେ ମୁଁ ଏକଥା ଦଳର ସୁପ୍ରିମୋଙ୍କୁ ଜଣାଇଥିଲି। ଏକଥା ଦେଖିବେ ବୋଲି ସୁପ୍ରିମୋ କହିଥିଲେ। ଦୁର୍ନୀତି ନେଇ ନେତା ନଶୁଣିବାରୁ ଦଳ ଛାଡ଼ିଲି । ସୁଜିତ ଆହୁରି କହିଛନ୍ତି, ବିଜେଡି ସରକାରରେ ବ୍ୟାପକ ଦୁର୍ନୀତି, ହରିଲୁଟ ଚାଲିଥିଲା। ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟି ଦୁର୍ନୀତି ହୋଇଛି। ଅନେକ ନେତା, ଅଫିସର ଦୁର୍ନୀତିରେ ସାମିଲ ଥିଲେ। ଦୁର୍ନୀତି ସଂପର୍କରେ ଦଳ ନେତୃତ୍ବଙ୍କୁ ବହୁବାର ଜଣାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲି। ଶେଷରେ ବାଧ୍ୟ ହୋଇ ଦଳ ଛାଡ଼ିଲି ବୋଲି କହିଛନ୍ତି ସୁଜିତ କୁମାର। ମମତା ମହନ୍ତଙ୍କ ପରେ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି ସୁଜିତ କୁମାର।