ବିଜେଡିରୁ ବିଦା ହେଲେ ସୌମ୍ୟ ଓ ସୁଧାଂଶୁ
ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପ୍ଟେମ୍ବର ୧୨ରେ ସୌମ୍ୟଙ୍କୁ଼ ବିଜେଡି ଦଳର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଦୁଇ ଧାଡ଼ିଆ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ସେଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ହଟାଇ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲା । ଗତ କିଛି ଦିନ ଧରି ସୌମ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା ଜାରି ରଖିଛନ୍ତି । ଏହା ସହିତ ନବୀନଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଅଙ୍ଗୁଳି ଉଠାଇଛନ୍ତି । ତା’ପରେ ସୌମ୍ୟଙ୍କୁ ଦଳ ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ଆଜି ପୁଣି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ବହିଷ୍କାର କରାଯାଇଛି । କିଛି ଦିନ ପୂର୍ବରୁ ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମ୍ବାଦ ଉପରେ କ୍ରାଇମବ୍ରାଞ୍ଚ EOWର ରେଡ୍ ହୋଇଥିଲା । ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟାଇ ଦେଇଥିଲା।
