ବିଜୁବାବୁଙ୍କ ପ୍ରତି ହେଉଥିବା ଅପମାନ ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି: ବିଜେଡି
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା। ଏହା ପଛରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ । ସମ୍ପୃକ୍ତ ବ୍ୟକ୍ତି ନିଶ୍ଚିତ ଭାବେ ହୀନ ଓ ରୁଗ୍ଣ ମାନସିକତା ବ୍ୟକ୍ତି । ଜଣେ ଗିରଫ ହୋଇଛନ୍ତି, ଷଡ଼ଯନ୍ତ୍ର ଥିଲେ ପର୍ଦ୍ଦାଫାସ୍ ନିର୍ଦ୍ଦେଶ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ନିଆଁ ଜାଳି ପୋଡ଼ିବା ଘଟଣା ନେଇ ବିଜୁ ଜନତା ଦଳ (ବିଜେଡି) ଦୁଃଖ ଓ କ୍ଷୋଭ ପ୍ରକାଶ କରିଛି। ଏହି ଘଟଣାକୁ ନେଇ ବିଜେଡିର ନେତାମାନଙ୍କ ସମେତ ସଂଜୟ କୁମାର ଦାସବର୍ମା ତୀବ୍ର ନିନ୍ଦା କରିଛନ୍ତି। ପ୍ରେସ୍ ବିଜ୍ଞପ୍ତି ଜାରି କରି ଶ୍ରୀ ଦାସବର୍ମା କହିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ଭାରତ ବର୍ଷ ମୁକ୍ତି ଆନ୍ଦୋଳନର ଅନନ୍ୟ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ସ୍ଵାଭିମାନର ପ୍ରତୀକ।
ଦାସବର୍ମା କହିଛନ୍ତି ଯେ, ବିଜୁବାବୁ କୌଣସି ଦଳ ବା ଗୋଷ୍ଠୀର ନେତା ନୁହନ୍ତି, ସେ ଓଡ଼ିଶାର ସର୍ବମାନ୍ୟ ନେତା ଓ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ଓଡ଼ିଆ ଜାତୀର ମହାନ ଜନନାୟକ। ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ଓଡ଼ିଶାର ସ୍ଵାଭିମାନୀ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲାଭଳି ଦୁର୍ଭାଗ୍ୟଜନକ ଘଟଣା। ଏହି ସରକାରରେ ଏକାଧିକ ଥର ବିଜୁ ବାବୁଙ୍କ ଅମ୍ଲାନ ସ୍ମୁତି ପ୍ରତି ଅପମାନ ଦେଲାଭଳି ଘଟଣା ଘଟି ଚାଲିଛି। ରାଜ୍ୟ ସରକାରଙ୍କ ନିରବତା ରହସ୍ୟମୟ। ଦିବଙ୍ଗତ ବିଜୁ ବାବୁଙ୍କ ପ୍ରତି ହେଉଥିବା ଏ ଅପମାନ ରାଜ୍ୟ ବାସି ଙ୍କୁ ଗଭୀର ବ୍ୟଥିତ କରିଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ପୋଡ଼ାଜଳା ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଦୁଃଖ ଦାୟକ।
