ଇଣ୍ଡିଗୋ ବିମାନ ସହ ପକ୍ଷୀ ଧକ୍କା: ଜରୁରୀକାଳୀନ ଅବତରଣ

ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ । ମଝି ଆକାଶରେ ବିମାନରେ ପକ୍ଷୀ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ । ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ । ଆକାଶରେ ଏକ ପକ୍ଷୀ ସହିତ ଧକ୍କା ହେବା ଯୋଗୁ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦ ଟଳିଗଲା । ତେବେ ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଖବର ମୁତାବକ, ଇଣ୍ଡିଗୋର ନାଗପୁର-କୋଲକାତା ବିମାନ ନମ୍ବର ୬ଇ୮୧୨ ପକ୍ଷୀ ସହ ଧକ୍କା ହୋଇଥିଲା । ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ଥରିବାକୁ ଲାଗିଥିଲା । ଏହା ପରେ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଯାତ୍ରୀମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରାଯାଇଥିଲା । ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ତୁରନ୍ତ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲେ ।ବିମାନଟି ଜରୁରୀ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ବିମାନର ଜରୁରୀକାଳୀନ ଅବତରଣ ପରେ, ଏବେ ବରିଷ୍ଠ ବିମାନବନ୍ଦର ନିର୍ଦ୍ଦେଶକ ଆବିଦ ରୁହିଙ୍କ ବୟାନ ସାମ୍ନାକୁ ଆସିଛି । ଘଟଣାକୁ ନେଇ ଯାଞ୍ଚ ଚାଲିଛି ବୋଲି କହିଛନ୍ତି ।