ବିହାର ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରଚାର କମିଟି
ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନ ପ୍ରଚାର କମିଟି ଘୋଷଣା କରିଛି । ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ବିହାରର ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଦିଲୀପ ଜୟସ୍ୱାଲଙ୍କ ସମେତ ୪୫ ଜଣ ନେତା ସାମିଲ ଅଛନ୍ତି । ବିହାର ବିଜେପି ଏହି କମିଟିରେ ସାମିଲ ନେତାମାନଙ୍କୁ ନେଇ ଏକ୍ସରେ ଏକ ପୋଷ୍ଟ ମଧ୍ୟ କରିଛି । ଏହି ତାଲିକାରେ ବିଜୟ କୁମାର ସିହ୍ନା, ରାଧା ମୋହନ ସିଂ, ନିତ୍ୟାନନ୍ଦ ରାୟ, ମଙ୍ଗଲ ପାଣ୍ଡେ, ଗୋପାଳ ନାରାୟଣ ସିଂ, ରବିଶଙ୍କର ପ୍ରସାଦ ଏବଂ ଅଶ୍ୱିନୀ କୁମାର ଚୌବେଙ୍କ ଭଳି ନାମ ଅନ୍ତର୍ଭୁକ୍ତ ।

ବିଜେପି କିଛି ଦିନ ପୂର୍ବରୁ ବିହାର ନିର୍ବାଚନ ପାଇଁ ନିଜର ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନାମ ଘୋଷଣା କରିଛି । ବିଜେପି କେନ୍ଦ୍ର ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନର ପ୍ରଭାରୀ ଭାବରେ ନିଯୁକ୍ତ କରିଥିବାବେଳେ ସିଆର ପାଟିଲ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ ପ୍ରଭାରୀ କରାଯାଇଛି । ଏଥର ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଏନଡିଏ ବନାମ ମହାଗଠବନ୍ଧନ ମଧ୍ୟରେ ରହିଛି । ସମସ୍ତ ଦଳ ନିର୍ବାଚନ ଘୋଷଣା ହେବା ପୂର୍ବରୁ ହିଁ ପ୍ରଚାର କରିବାରେ ଲାଗିପଡିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୦ ନିର୍ବାଚନରେ ଏନଡିଏ ସହିତ ରହି ବିଜୟ ହାସଲ କରିଥିଲେ ।
