ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଅଧିକାରୀ
ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି,ପହଣ୍ଡିରେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଅଧିକାରୀ। ଗତବର୍ଷ ପହଣ୍ଡି ବେଳେ ଚାରମାଳରୁ ଖସି ମୁହଁ ମାଡ଼ି ତଳେ ପଡିଥିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଅନେକ ରାଜନୈତିକ ତୁମ୍ୱିତୋଫାନ ହୋଇଥିଲା। ତେଣୁ ଗତବର୍ଷ ଭଳି ଆଉ ଯେପରି କିଛି ଅସୁବିଧା ନହୁଏ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଚାରମାଳ ନିରୀକ୍ଷଣ କରିବେ ବରିଷ୍ଠ ଅଧିକାରୀ। ଶ୍ରୀମନ୍ଦିର ପ୍ରଶାସନ ଗତଥର ମହାପ୍ରଭୁ ବଳଭଦ୍ର ରଥ ଉପରେ ପଡ଼ିଯିବା ଘଟଣା ପରେ ସୁରକ୍ଷାରେ କୌଣସି ବୁଝାମଣା କରିବାକୁ ଚାହୁନାହିଁ। ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଇଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଅଘଟଣ ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି।

ଭକ୍ତ ନିବାସରେ ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହେବା ସହ ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ବାଜିଛି। ଆସନ୍ତା ଜୁନ୍ ୨୭ ତାରିଖରେ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ଣ ସାଢ଼େ ୧୨ଟା ସୁଦ୍ଧା ସରିବ। ସାଢ଼େ ୧୨ଟାରୁ ୧ଟା ମଧ୍ୟରେ ଶ୍ରୀମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ବିଜେ କରିବେ। ଅପରାହ୍ଣ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଛେରାପହଁରା ଓ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ଜୁଲାଇ ୧ ତାରିଖ ହେରାପଞ୍ଚମୀରେ ରାତି ସାଢ଼େ ୯ଟାରେ ମହାଲକ୍ଷ୍ମୀ ରଥ ତଳ ନୀତି ସାରି ଜଗମୋହନକୁ ବିଜେ କରିବେ। ରାତି ୯ଟା ୩୫ରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଲାଗି ହେବାକୁ ସ୍ଥିର କରାଯାଇଛି।
