ବାହାରୁନି ଝଗଡାର ସମାଧାନ, କାଲିଠୁ ଉପାସରେ ବାବା ଲିଙ୍ଗରାଜ
୨୦୨୦ ମସିହାରୁ ଲାଗି ରହିଥିବା ଏହି ବିବାଦର ସମାଧାନ ହୋଇପାରୁନାହିଁ । ସେବାୟତଙ୍କ ଝଗଡା ଯୋଗୁଁ ଉପାସ ରହିଛନ୍ତି ବାବା ଲିଙ୍ଗରାଜ । ସୋମବାର ଭଳି ଆଜି ବି ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ପଇତା ଲାଗି ନୀତି କିଏ କରିବେ? ବଡୁ ନିଯୋଗ ନା ପୂଜାପଣ୍ଡା ? ଫଳରେ ଗତ ତିନି ବର୍ଷ ହେବ ମନ୍ଦିରରେ ପବିତ୍ରାରୋପଣ ନୀତି ସମ୍ଭବ ହେଉନାହିଁ । ଚଳିତ ବର୍ଷ ମଧ୍ୟ ଏହି କାରଣରୁ ପୂର୍ବ ବର୍ଷମାନଙ୍କ ପରି ସୋମବାର ସଂଧ୍ୟାରୁ ପ୍ରଭୁଙ୍କ ନୀତିକୁ ବନ୍ଦ ହୋଇରହିଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ତେବେ ଗତକାଲି ସଂଧ୍ୟା ଧୂପ ପରେ ଠାକୁରଙ୍କ ସମସ୍ତ ନୀତି ବନ୍ଦ ରହିଛି। ଆଜି ବି ବିବାଦର ସମାଧାନ ହୋଇନଥିବା କାରଣରୁ ପୂର୍ବ ବର୍ଷ ଭଳି ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି । ଠାକୁରଙ୍କ ଅନ୍ନ ଭୋଗ ହେବ ନାହିଁ ଏବଂ ପ୍ରଭୁ ଉପାସ ରହିବେ । ଭକ୍ତମାନେ ମଧ୍ୟ ଭୋଗରୁ ବଞ୍ଚିତ ହେବେ । ବୁଧବାର ଯାଇ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ସ୍ବାଭାବିକ ହେବ ବୋଲି କୁହାଯାଉଛି ।
