ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ
ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ। ତଦନ୍ତ ପାଇଁ ଅସଲି ପୋଲିସ ନକଲି ପୋଲିସକୁ ପଠାଇ ନିଲମ୍ବିତ ହୋଇଛନ୍ତି । ଗ୍ରାମାଞ୍ଚଳ ଥାନାର ସବ ଇନିସପେକ୍ଟର କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରସିକବାଦ ଗାଁରେ ପାରିବାରିକ କଳହକୁ ନେଇ ଅଭିଯୋଗ ହୋଇଥିଲା । ତେବେ ଦାୟିତ୍ବରେ ଥିବା ପୋଲିସ SI ନିଜେ ନଯାଇ ତଦନ୍ତ ପାଇଁ ଯୁବକଙ୍କୁ ପଠାଇଥିଲେ। ଯୁବକ ଜଣଙ୍କ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ । ପରେ କିଛି ଟଙ୍କା ମଧ୍ୟ ମାଗିଥିଲେ।ସ୍ଥାନୀୟ ଲୋକେ ଏହା ଜାଣି ସନ୍ଦେହ କରି ପରିଚୟ ପତ୍ର ମାଗିବାରୁ ସେ ନିଜକୁ ଗୁଇନ୍ଦା ବିଭାଗ କର୍ମଚାରୀ ବୋଲି କହିଥିଲେ। ଅଧିକ ସନ୍ଦେହ ହେବାରୁ ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ପୋଲିସକୁ ଡାକିବାରୁ ପୋଲିସ ଯାଇ ଚିହ୍ନଟ କରିଥିଲା ଯେ ଯୁବକ ଜଣକ ଅସଲି ପୋଲିସ ନୁହନ୍ତି। ତେଣୁ ଗ୍ରାମାଞ୍ଚଳ ପୋଲିସ ସେହି ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୃକ୍ତ ଯୁବକ ଜଣଙ୍କୁ ପୋଲିସ ସବ ଇନ୍ସପେକ୍ଟର କାର୍ତ୍ତିକ ଜେନା ପଠାଇ ଥିଲେ ବୋଲି ଭଦ୍ରକ ଏସପି ପ୍ରମାଣ ପାଇଲା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାଯାଇଛି ।
